ରଣପୁର : କରୋନା ଚିକିତ୍ସା କ୍ଷେତ୍ରରେ ଆଶାକର୍ମୀମାନ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । କିନ୍ତୁ ଦିନକୁ ଦିନ ଏହି ଆଶକର୍ମୀଙ୍କ ଉପରେ ଆକ୍ରମଣ ନିତିଦିନିଆ ଘଟଣା ପାଲଟିବାରେ ଲାଗିଛି । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବୃନ୍ଦାବନପୁର ପଞ୍ଚାୟତ ଅଧୀନ ବିନୋଦପଡ଼ା ଗାଁ’ରେ ଜଣେ ଆଶାକର୍ମୀ ନଳିନୀ ପ୍ରଧାନ (୩୨)ଙ୍କୁ ମାଡ଼ ମାରିବା ସହ ପରିବାରକୁ ହତ୍ୟା ଧମକ ଦିଆଯାଇଛି । ଏହି ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ବିନୋଦପଡ଼ା ଗାଁ’ର କମଳାକାନ୍ତ ପାଣିଙ୍କ ଭୁବନେଶ୍ବରରେ ରହୁଥିବା ପୁଅ ରାକେଶ କୁମାର ମିଶ୍ର (୨୫) ଗତ ସପ୍ତାହରେ ଗାଁ’କୁ ଫେରିଥିଲେ। ଖବର ପାଇ ଆଶାକର୍ମୀ ନଳିନୀ କୋଭିଡ୍-୧୯ରେ ନାମ ପଞ୍ଜୀକରଣ ପାଇଁ କମଳାକାନ୍ତଙ୍କ ଘରକୁ ଯାଇଥିଲେ। ତେବେ କାହିଁକି ମୋ ପୁଅ ନାମ ପଞ୍ଜୀକରଣ କରିବୁ କହି କମଳାକାନ୍ତ ନଳିନୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହା ସତ୍ତେ୍ୱ ମଧ୍ୟ ନଳିନୀ ପଞ୍ଜୀକରଣ କରି ଘରକୁ ଫେରିଥିଲେ। କିନ୍ତୁ ଗତକାଲି ରାତିରେ କମଳାକାନ୍ତ ଓ ତାଙ୍କ ଜଣେ ସାଙ୍ଗ ହରମୋହନ ନଳିନୀଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ଗାଳିଗୁଲଜ କରିଥିଲେ। ମାଡ଼ ମାରିଥିଲେ । ଏହା ପରେ ଉଭୟ ନଳିଳୀଙ୍କ ପରିବାରକୁ ହତ୍ୟା କରିବାକୁ ଧମକ ଦେଇ ଚାଲିଯାଇଥିଲେ। ଏ ନେଇ ନଳିନୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରଣପୁର ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ, ଗତ ମାସରେ ଦଶପଲ୍ଲା ଅଞ୍ଚଳରେ ଜଣେ ଆଶାକର୍ମୀଙ୍କୁ ଗରମ ପେଜ ଢାଳି ମରଣାନ୍ତକ ଆକ୍ରମଣ କରିଥିଲେ ।