ନିଶ୍ଚିନ୍ତକୋଇଲି: ଘରୋଇ ଡ଼ାକ୍ତରଖାନାର ମାଲିକମାନେ ଗ୍ରାମାଞ୍ଚଳର ନିରୀହ ଗରିବ ଲୋକଙ୍କୁ ଆର୍ଥିକ ଶୋଷଣ କରୁଥିବାର ଅଭିଯୋଗ ହୋଇଛି । ଏପରିକି ଡ଼ାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ନିଶ୍ଚିନ୍ତକୋଇଲି ବ୍ଲକ ଜମରା ଗ୍ରାମ ପଞ୍ଚାୟତ ଆଜ୍ଞାପୁର ଗ୍ରାମର ଜନୈକା ବୃଦ୍ଧା ଚରମ ହଟହଟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି । ଆଜ୍ଞାପୁର ଗ୍ରାମର ଅସହାୟ ବୃଦ୍ଧା ବାବାଜୀ ଚରଣ ଜେନାଙ୍କ ପତ୍ନୀ ଗୋଲଖ ଜେନା ୭୦ ବର୍ଷଙ୍କ ଗର୍ଭାଶୟର ଅସ୍ତ୍ରୋପଚାର ଜଗତପୁର ଥାନା ପାଗାଠାରେ ଥିବା ଏକ ଘରୋଇ ଡ଼ାକ୍ତରଖାନାରେ କରାଯାଇଥିଲା । ଏହି ଅସ୍ତ୍ରୋପଚାରକୁ ଜଣେ ସରକାରୀ ଡ଼ାକ୍ତର କରିଥିଲେ । ଡ଼ାକ୍ତର ସମ୍ପୃକ୍ତା ବୃଦ୍ଧାଙ୍କ ଗର୍ଭାଶୟର ଅସ୍ତ୍ରୋପଚାର କରିବା ପରିବର୍ତ୍ତେ ତାଙ୍କର ପରିସ୍ରା ନଳିକୁ ଭୁଲବଶତଃ କାଟି ଦେଇଥିବାର ଅଭିଯୋଗ ହୋଇଛି । ଫଳରେ ସମ୍ପୃକ୍ତା ବୃଦ୍ଧା ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି । ଏହି ଘରୋଇ ଡ଼ାକ୍ତରଖାନାରେ ସମ୍ପୃକ୍ତା ମହିଳାଙ୍କୁ ଗତ ସେପ୍ଟେମ୍ବର ୧୬ତାରିଖ ଦିନ ଅସ୍ତ୍ରୋପଚାର କରାଯାଇ ସେପ୍ଟେମ୍ବର ୨୨ତାରିଖ ଦିନ ଡ଼ିସଚାର୍ଜ କରାଯାଇଥିଲା । ଅସ୍ତ୍ରୋପଚାର ପରେ ବୃଦ୍ଧାଙ୍କ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ପୁର୍ନବାର ଅକ୍ଟୋବର ୧୧ତାରିଖ ଦିନ ଅସ୍ତ୍ରୋପଚାର କରାଯାଇ ଅକ୍ଟୋବର ୧୭ତାରିଖ ଦିନ ଡ଼ିସଚାର୍ଜ କରାଯାଇଥିଲା । କିନ୍ତୁ ବୃଦ୍ଧାଙ୍କ ଯନ୍ତ୍ରଣା ଲାଘବ ହୋଇନଥିଲା । ସମ୍ପୃକ୍ତ ଘରୋଇ ଡ଼ାକ୍ତରଖାନାର ମାଲିକ ତାଙ୍କୁ ଆର୍ଥିକ ଶୋଷଣ କରିଥିଲା ବେଳେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ସମ୍ପୃକ୍ତା ବୃଦ୍ଧା ବାଧ୍ୟ ହୋଇ କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡ଼ାକ୍ତରଙ୍କ ଚରମ ଅବହେଳା, ଦାୟିତ୍ୱହୀନତା ସର୍ବୋପରି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ବୃଦ୍ଧ ଜଣକ ହଟହଟା ହେଲେ ବୋଲି ତାଙ୍କର ସ୍ୱାମୀ ବାବାଜୀ ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସର୍ବୋପରି କଟକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ସମ୍ପୃକ୍ତ ଡ଼ାକ୍ତରଙ୍କୁ ଦାୟୀ କରି ଅଭିଯୋଗ କରିଥିବାର ଜଣାଯାଇଛି । ନ୍ୟାୟ ପାଇବା ନିମନ୍ତେ ସମ୍ପୃକ୍ତ ବୃଦ୍ଧାଙ୍କ ସ୍ୱାମୀ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି । ପ୍ରଶାସନ ତରଫରୁ ଏହି ଅଭିଯୋଗର ତଦନ୍ତ କରାଯାଇ ସମ୍ପୃକ୍ତ ଘରୋଇ ଡ଼ାକ୍ତରଖାନା ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରିଥିବା ଡ଼ାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହୋଇଛି ।
previous post
next post