(ମହାଭାରତ, ପୁରୀ): ସ୍ୱାଧୀନତା ପୂର୍ବରୁ ଦେଶରେ ସତୀଦାହ ପ୍ରଥା ବନ୍ଦ ହୋଇଛି । କିନ୍ତୁ ପୁରୀ ଜିଲ୍ଲାରେ ଏହି ପ୍ରଥା ଦୋହରାଇବାକୁ ଜଣେ ମହିଳା ଉଦ୍ୟମ କରିଥିବା ଜଣାଯାଇଛି । ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଜୁଇକୁ ଡେଇଁ ମହିଳା ଜଣକ ଆତ୍ମାହୂତି ଦେବାକୁ ଉଦ୍ୟମ କରିଛନ୍ତି । ତେବେ ନିଆଁ ଧାସରେ ମହିଳା ଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ପାଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ପୁରୀ ସଦର ମେଡିକାଲରେ ଭର୍ତ୍ତି କରିଛନ୍ତି । ଆହତ ମହିଳା ଜଣକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ରମା ଦାସ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ଛାଡି ଚାଲିଯିବା ପରେ ସେ ଭାଙ୍ଗି ପଡିଥିଲେ । ଏପରିକି ମାନସିକ ସ୍ଥିତି ମଧ୍ୟ ହରାଇଥିଲେ । ସେଥିପାଇଁ ଘର ଛାଡି ଶ୍ରୀକ୍ଷେତ୍ର ଚାଲି ଆସିଥିଲେ । ଏଠାରେ ଚାରିଆଡେ ବୁଲି ମାଗିଯାଚି ଚଳୁଥିଲେ । ଶୁକ୍ରବାର ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ମହିଳା ଜଣକ ସେଠାରେ ପହଞ୍ଚି ଜୁଇକୁ ଡେଇଁ ପଡିଥିଲେ । ତେବେ ଶବଦାହ କରୁଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭତ୍ତି କରିଥିଲେ । ମହିଳା ଜଣଙ୍କର ହାତ ଦୁଇଟି ପୋଡି ଯାଇଛି । ମାନସିକ ସ୍ଥିତି ଭଲ ନଥିବାରୁ ଆତ୍ମହତ୍ୟା କରିବା ପାଇଁ ସେ ଜୁଈକୁ ଡେଇଁଥିବା ଜଣାଯାଇଛି ।
