(ମହାଭାରତ, ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଠାରେ ଏକ ଦୁଗ୍ଧ ଶୀତଳ ଭଣ୍ଡାର ଉଦଘାଟିତ ହୋଇଛି । ଦୁଗ୍ଧ ଉତ୍ପାଦକ ମହିଳା ସେବା ସମବାୟରେ ସମିତି ଉଦ୍ୟମରେ ନିର୍ମାଣ ହୋଇଥିବା ଏହି ଶୀତଳିକ କେନ୍ଦ୍ରକୁ ଜଳେଶ୍ୱର ବିଧାୟକ ଅଶ୍ୱିନି କୁମାର ପାତ୍ର ଉଦଘାଟନ କରିଥିଲେ । ଏହି ଅବସରରେ ଉଦଘାଟନୀ କାର୍ଯ୍ୟକ୍ରମରେ ବାଲେଶ୍ୱର-ଭଦ୍ରକ ଦୁଗ୍ଧ ସଂଘର ସାଧାରଣ ସମ୍ପାଦକ ରଶ୍ମୀରେଖା ବିନ୍ଧାଣି, ପାଉଁଶକୁଲି ସେବା ସମବାୟ ସମିତି ସମ୍ପାଦକ ହରିଶ୍ଚନ୍ଦ୍ର ଦାସ ମହାପାତ୍ର, ଦୁଗ୍ଧ ଶୀତଳକ କେନ୍ଦ୍ରର ସଭାପତି କମଳା ପଣ୍ଡା ଓ ସମ୍ପାଦକ ହରେନ୍ଦ୍ର ସାହୁ ଉପସ୍ଥିତ ଥିଲେ । ଏହି ଦୁଗ୍ଧ ଶୀତଳ ଭଣ୍ଡାରଟିରେ ପ୍ରଥମ ପ୍ରଥମ ପର୍ଯ୍ୟାୟରେ ୨ ହଜାର ଲିଟର କ୍ଷୀର ସଂରକ୍ଷିତ ରହିପାରିବ । ଯାହାକି ୩ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ । ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ଦୁଗ୍ଧ ଚାଷୀମାନେ ବଳକା କ୍ଷୀରକୁ ସୁରକ୍ଷିତ ରଖି ସରକାରୀ ମୂଲ୍ୟରେ ବିକ୍ରୀ କରିପାରିବେ । ଫଳରେ ଏହି କାର୍ଯ୍ୟ ପାଇଁ ନିୟୋଜିତ ହେଉଥିବା ମହିଳାମାନେ ସ୍ୱାବଲମ୍ବୀ ହେବା ସହ ଅଞ୍ଚଳରୁ ବେକାରୀ ସମସ୍ୟା ଦୂର ହୋଇପାରିବ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, କିଛି ହାତଗଣତି ମହିଳାଙ୍କୁ ନେଇ ୨୦୧୭ ମସିହାରେ ଏହି ଦୁଗ୍ଧ ସୋସାଇଟି ଆରମ୍ଭ ହୋଇଥିଲା । ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଓ ଅଞ୍ଚଳବାସୀଙ୍କ ମିଳିତ ସହଯୋଗ ଫଳରେ ଏହା ଏତେ ଦୂର ଆଗେଇ ପାରିଛି ।
previous post
