ମହାଭାରତ, ଭୁବନେଶ୍ୱର : ୨୦ ବର୍ଷ ଧରି ରାଜ୍ୟ ଶାସନରେ ଥିବା ବିଜେଡି ଦଳରେ ଦେଖାଦେଇଛି ଫାଟ । ସୁପ୍ରିମଙ୍କ ନେତୃତ୍ୱରେ ସମସ୍ତ ନେତା, ମନ୍ତ୍ରୀ, କର୍ମୀ ଏକ ମନ ହୋଇ କାମ କରୁଥିବା କୁହାଯାଉଥିବା ବେଳେ କିନ୍ତୁ ବାସ୍ତବ ଚିତ୍ର ଭିନ୍ନ । ବିଧାୟକ ଓ କର୍ପୋରେଟର ହାତା ହେବା ପରି ଘଟଣାରୁ ଏହା ସ୍ପଷ୍ଟ ହୋଇଛି । ଅବଶ୍ୟ ଘଟଣାଟି ୨ ଦିନ ତଳେ ଘଟିଥିବା କୁହାଯାଉଛି । ଏହାକୁ ଲୁଚାଇବାକୁ ଦଳୀୟ ନେତାମାନେ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଏହା ଦାଣ୍ଡରେ ପଡି ହାଟରେ ଗଡ ଗଡେଇଲାଣି ।
ଭୁବନେଶ୍ୱର ମଧ୍ୟମର ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଭାଇ ଓ ୱାର୍ଡ ନମ୍ବର ୪୫ର ପୂର୍ବତନ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆଙ୍କ ମଧ୍ୟରେ ଧକ୍କା ପେଲା, ତୁତୁ ମେଁମେଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାଇଁଆ ରାଗରେ ବିଧାୟକଙ୍କୁ ଧକ୍କା ମାରିବା ଓ ଏଥିରେ ଉତ୍କ୍ଷିପ୍ତ ହୋଇ ବିଧାୟକ ବହୁ ଗାଳିଗୁଲଜ କରିଥିଲେ, ଧକ୍କା ପେଲା ପରେ ସେଠାରେ ଉପସ୍ଥିତ ଅନ୍ୟମାନେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ଶୁଣିବାକୁ ମିଳିଛି ।
ଜଣେ ବିଜେଡି କର୍ମୀଙ୍କ କହିବା ଅନୁଯାୟୀ, ବିଧାୟକ ଭୁବନେଶ୍ୱରର କିଛି ପୂର୍ବତନ କର୍ପୋରେଟରଙ୍କୁ ନେଇ ଏକ ବୈଠକ କରିଥିଲେ । କିନ୍ତୁ ଏହି ବୈଠକକୁ ବାଇଁଆଙ୍କୁ ଡକାଯାଇ ନ ଥିଲା । ବାଇଁଆ ଏହାର ସୂଚନା ଅନ୍ୟ ସୂତ୍ରରୁ ପାଇ ସେଠାରେ ଉପସ୍ଥିତ ହୋଇଯାଇଥିଲେ ଓ ତାଙ୍କୁ କାହିଁକି ଡକାଯାଇ ନାହିଁ ବୋଲି ପଚାରିଥିଲେ । ଏହାକୁ ନେଇ ବୁନୁ ରାଗରେ ଜଳିବା ସହ ବାଇଁଆଁଙ୍କୁ ତାଙ୍କ ଔକାତ ଭିତରେ ରହିବାକୁ କହିଥିଲେ ଓ ସେ କାହା ସହ କଥା ହେଉଛନ୍ତି, ତାହା ମନେ ରଖିବାକୁ ତାଗିଦ କରିଥିଲେ । ଏଥିରେ ବାଇଁଆ ଆହୁରି ରାଗିଯାଇଥିଲେ ଓ ବୁନୁଙ୍କୁ ଏକ ଧକ୍କା ଦେଇଥିଲେ । ବୁନୁ ଏପରି ଆକ୍ରମଣର ଆଶା କରି ନ ଥିଲେ, ତେଣୁ ପଡିଯାଉଯାଉ ଅନ୍ୟମାନେ ତାଙ୍କୁ ଧରିି ନେଇଥିଲେ । ଏହାପରେ ଉଭୟ ଉଭୟଙ୍କୁ କୁଆଡେ ପେଲାପେଲି କରିଥିଲେ । ଉଭୟ ଉଭୟଙ୍କୁ ଦେଖି ନେବା ପାଇଁ ଧମକ ମଧ୍ୟ ଦେବାକୁ ପଛେଇ ନ ଥିବା ଶୁଣିବାକୁ ମିଳିଛି । ତେବେ କିଛି ସମୟ ପରେ ବାଇଁଆ ସେଠାରୁ ରାଗତମ ତମ ହୋଇ ସେଠାରୁ ଚାଲିଯାଇଥିଲେ ।
ଏହି ଗଣ୍ଡଗୋଳକୁ ଘୋଡେଇବାକୁ ଦଳ ପକ୍ଷରୁ ଚପାଇବାକୁ ବହୁ ପ୍ରୟାସ କରାଯାଇଥିଲା । କିନ୍ତୁ ଧୀରେ ଧୀରେ ଏହା ପ୍ରଘଟ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ବୁନୁଙ୍କ ଔଦ୍ଧତ୍ୟକୁ ବଢିଚାଲୁଥିବା ଅନେକ ମତ ଦେଉଛନ୍ତି ।
ଦଳର କିଛି ପୁରୁଖା ନେତା କହୁଛନ୍ତି, ବୁନୁ ବିଧାୟକ ହେବା ପରେ ଆଉ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି । ଦିନେ ଯେଉଁ ବୁନୁ ଦଳର ସାଂଗଠନିକ ସୁଦୃଢତା ପାଇଁ କର୍ପୋରେଟରଙ୍କୁ ସଂଗଠିତ କରୁଥିଲେ । ଭୁବନେଶ୍ୱରର ଗଳି କନ୍ଦିର ବସ୍ତୀ ବାସୀଙ୍କ ସହ ଯୋଗାସୂତ୍ର ସାଜିଥିଲେ, ସେ ବିଧାୟକ ହେବା ପରଠାରୁ ନିଜକୁ ସର୍ବୋସର୍ବା ମଣୁଛନ୍ତି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବୁନୁ ଗର୍ବରେ ଫାଟିପଡୁଛନ୍ତି । କର୍ପୋରେଟରଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ସହ ସେମାନଙ୍କ ମଧ୍ୟରେ କନ୍ଦଳ ସୃଷ୍ଟି କରୁଛନ୍ତି । ସାଧାରଣ ନିର୍ବାଚାନ ପୂର୍ବ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରୟ ବୋଲାଉଥିବା ବୁନୁଙ୍କ ବ୍ୟବହାରରେ ଦଳରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଏହାକୁ ନେଇ ମଧ୍ୟ ଦଳର ପୁରୁଖା ନେତାଙ୍କ ପାଖରେ ଅଭିଯୋଗ ହେଉଥିବା ଶୁଣିବାକୁ ମିଳିଛି । ଅପରପକ୍ଷରେ ବାଇଁଆ ମେୟର ପଦ ଉପରେ ଆଖି ରଖିଥିବାରୁ ବୁନୁଙ୍କ ପୂର୍ବତନ କର୍ପୋରେଟରଙ୍କୁ ନେଇ ବୈଠକକୁ ହଜମ କରି ପାରିନଥିଲେ ଓ ବୈଠକରେ ପହଞ୍ଚି ହଟଗୋଳ କରିଥିବା ଚର୍ଚ୍ଚା ହେଉଛି ।