ଭୁବନେଶ୍ୱର: ଲକଡାଉନ ପାଇଁ ବୁଲା ଗାଈ ଗୋରୁ, କୁକୁର ଖାଇବାକୁ ପାଉନାହାନ୍ତି । ସାଧାରଣତଃ ହୋଟେଲ, ଢାବା, ରେଷ୍ଟୁରାଣ୍ଟରୁ ବଡିପଡୁଥିବା ଖାଦ୍ୟରେ ଏହି ଜୀବମାନଙ୍କୁ ଖାଦ୍ୟ ମିଳୁଥିଲା । କିନ୍ତୁ ଲକଡାଉନ ପରେ ଏସବୁ ବନ୍ଦ ହୋଇଯାଇଥିବାରୁ ଏହି ଜୀବନଙ୍କ ଅବସ୍ଥା ଖରାପ । ତେଣୁ ବୁଲା କୁକୁର ଏବଂ ଅନ୍ୟ ପ୍ରାଣୀମାନଙ୍କ ଖାଇବା ଦାୟିତ୍ୱ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି। ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ଆଣି ଲକ୍ଡାଉନ ସମୟ ଶେଷ ହେବା ପର୍ୟ୍ୟନ୍ତ ବୁଲା ପଶୁଙ୍କୁ ଖାଦ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଲା ପଶୁଙ୍କ ଖାଇବା ଲାଗି ମାନବ ସମ୍ବଳ, ଖାଦ୍ୟ ସରଞ୍ଜାମ ଆଦିର ବ୍ୟବସ୍ଥା ସରକାର କରିବେ। ଏହି ଦାୟିତ୍ୱ ଏନ୍ଜିଓ ଓ ପ୍ରାଣୀ ବିକାଶ ସଂସ୍ଥାକୁ ଯିବ। ଏହି କାର୍ୟ୍ୟ ଠିକ୍ରେ ପରିଚାଳନା କରିବାକୁ ୟୁଏଲ୍ବି(ଏନଏସି ଏବଂ ପୌରସଂସ୍ଥା) ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି। ମେ ୩ ତାରିଖ ପର୍ୟ୍ୟନ୍ତ ସରକାର ଖାଦ୍ୟ ପ୍ରଦାନ କରିବା ଲାଗି ଘୋଷଣା କରିଛନ୍ତି। ମତ୍ସ୍ୟ ସମ୍ପଦ ବିଭାଗ ସଚିବ ଆର୍. ରଘୁପ୍ରସାଦ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ମ୍ୟୁନିସିପାଲ କର୍ପୋରେଶନ, ୪୮ ମ୍ୟୁନିସିପାଲିଟି ଏବଂ ୬୧ ଏନ୍ଏସିରେ ଏହି ବ୍ୟବସ୍ଥା ଗ୍ରହଣ କରାଯିବ। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ ଲାଗି ସରକାର ୩ଲକ୍ଷ ୮୦ହଜାର, ଅନ୍ୟ ମ୍ୟୁନିସିପାଲ କର୍ପୋରେଶନ ଲାଗି ୭ଲକ୍ଷ ୬୦ହଜାର, ମ୍ୟୁନିସିପାଲିଟି ପାଇଁ ୪୫ଲକ୍ଷ ୬୦ହଜାର ଏନ୍ଏସି ଲାଗି ୨୩ଲକ୍ଷ ୧୮ ହଜାର ଖର୍ଚ୍ଚ ହେବ। ଏହିପରି ସରକାର ମୋଟ ୮୦ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।
next post