ଭୁବନେଶ୍ୱର/ସୁର୍ଜିତ ଧଳ: ଇମ୍ଫୋସିଟି ଥାନା ଅଧୀନରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୋଗର ସାଢେ ୩ ମାସ ପରେ ପ୍ରଥମ ଗିରଫଦାରି ହୋଇଛି । ତେବେ ୭ ଜଣଙ୍କ ନାମରେ ଅଭିଯୋଗ ଥିବା ବେଳେ କ୍ରାଇମ ବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିଛି । ଆଉ ସବୁଠାରୁ ବଡ କଥା ହେଲା ଗିରଫ ୪ ଜଣ ହେଲେ ଓଟିଭିର କର୍ମଚାରୀ । ଅଭିଯୋଗରେ ଜଣେ ପୁଲିସ କର୍ମଚାରୀ ଓ ତାଙ୍କ ୨ ସାଥିଙ୍କ ନାମ ଉଲ୍ଲେଖ ରହିଥିଲେ ମଧ୍ୟ କ୍ରାଇମ ବ୍ରାଞ୍ଚ ସେହି ୩ ଜଣଙ୍କୁ ଗିରଫ କରିନାହିଁ । ଅର୍ଥାତ୍ ଉଦ୍ଦେଶ୍ୟମୂଳକ ଓ ଆକ୍ରୋଶମୂଳକ ଭାବେ ଏହି ଗିରଫଦାରି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ପୁଲିସ ପ୍ରଶାସନ ସରକାରର ହାତ ବାରିଶି ସାଜିଥିବା କୁହାଯାଉଛି ।
ଗୋଟିଏ ଅପରାଧରେ ୭ ଜଣ ସମ୍ପୃକ୍ତ ରହିଥିଲେ । ଘଟଣାକୁ ନେଇ ଅଭିଯୋଗକୁ ସାଢେ ତିନି ମାସ ବିତିଗଲା । କିନ୍ତୁ ଆମ ଦକ୍ଷ ପୁଲିସ ପ୍ରଶାସନ ତଥା କ୍ରାଇମ ବ୍ରାଞ୍ଚ ସେହି ୪ ଜଣଙ୍କୁ ଚିହ୍ନଟ କଲେ, ଯେଉଁମାନେ ଓଟିଭିରେ କାର୍ଯ୍ୟରତ ଥିଲେ । ଅନ୍ୟ ୩ ଜଣ ପୁଲିସ ପ୍ରଶାସନର ଅଂଶ ହୋଇଥିବାରୁ ସେମାନଙ୍କୁ ପୁଲିସ ଚିହ୍ନିପାରୁନାହିଁ ଅବା ଚିହ୍ନି ମଧ୍ୟ ନିଜ ଜାତି ଭାଇଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ବୋଲି ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ପୁଲିସ ପ୍ରଶାସନ ରାଜ୍ୟ ସରକାରଙ୍କ ହାତ ବାରିଶି ସାଜିବା ନେଇ ଯେଉଁ ଚର୍ଚ୍ଚା ହୋଇଆସୁଥିଲା ଏହି ଘଟଣା ତାହାକୁ ସତ୍ୟ ପ୍ରମାଣିତ କରୁଥିବା କୁହାଯାଉଛି ।
ରାଜ୍ୟ ତଥା ରାଜଧାନୀରେ ନିଶା କାରବାର, ଦେହ ବ୍ୟବସାୟ, ଚୋରା ବନ୍ଧୁକ ବିକ୍ରି, ରାହାଜାନୀ, ଡକାୟତି, ଲୁଟ, ହତ୍ୟା ପରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ରାଜ୍ୟ ପୁଲିସ ତଥା ରାଜ୍ୟ ପୁଲିସର ସବୁଠାରୁ ଦବଙ୍ଗ ପୁଲିସ ଅଫିସରଙ୍କୁ ନେଇ ଗଠିତ କମିଶନରେଟ ପୁଲିସ ଏହି ସବୁ ଅପରାଧକୁ ରୋକିବାରେ ବିଫଳ । ଫଳରେ ଅପରାଧି ବେଧକ ହୋଇ ସେମାନଙ୍କ ଅପରାଧ ଚଳାଇଛନ୍ତି । ଶିଶୁ ଚାଲାଣରେ ରାଜ୍ୟ ଜାତୀୟ ସ୍ତରରେ ତୃତୀୟ ସ୍ଥାନରେ ରହିଛି । ପରୀ ହତ୍ୟା ଘଟଣା ପରେ ରାଜ୍ୟରେ ଅଙ୍ଗ ତସ୍କରୀ ଘଟଣା ମଧ୍ୟ ଚିନ୍ତାର କାରଣ ହୋଇଛି । ଘର ଦୁଆର ମୁହଁରୁ ଶିଶୁ ନିଖୋଜ ହୋଇ ଯାଉଛନ୍ତି । ପୁଲିସ ନିଖୋଜ ଶିଶୁ ବା ସେମାନଙ୍କ ଅପହରଣକାରୀଙ୍କୁ ଧରି ପାରୁ ନାହାନ୍ତି । ପରୀ ହତ୍ୟା ଘଟଣାରେ ଦୀର୍ଘ ୫ ମାସ ପରେ ମଧ୍ୟ ହତ୍ୟାକାରୀ ପାଖରେ ପହଞ୍ଚି ପାରିନି ପୁଲିସ । ଅଥଚ ଓଟିଭି ନାମରେ ବିଭିନ୍ନ ଅଭିଯୋଗ କରାଯାଇ ଓଟିଭି ଓ ତାର କର୍ମଚାରୀଙ୍କୁ ଉଠାଇ ନେବାରେ ଆଗଭର ହୋଇଛି ଆମ ଦକ୍ଷ ପୁଲିସ ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୁଲିସ ଓ କ୍ରାଇମ ବ୍ରାଞ୍ଚ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ନେତା ମନ୍ତ୍ରୀ ତଥା ତୃତୀୟ ମହଲାର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବାରୁ ଏହାକୁ ପ୍ରଶଂସା ବଦଳରେ ନିନ୍ଦା କରାଯାଉଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଏକଚ୍ଛତ୍ରବାଦ ଶାସନକୁ ଦର୍ଶାଉଥିବା କୁହାଯାଉଛି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପାଣ୍ଡା ଓ ତାଙ୍କ ଗଣମାଧ୍ୟମ ଓଟିଭି ଉପରେ ପ୍ରତିହିଂସା ପରାୟଣ ହୋଇ ରାଜ୍ୟ ସରକାର ୨୦୧୮ରୁ କାର୍ଯ୍ୟ କରି ଆସୁଛି । ପ୍ରାରମ୍ଭିକ ଅବସ୍ଥାରେ ଓଟିଭିକୁ ନବୀନ ନିବାସ ବନ୍ଦ କରାଯିବା ସହ ବିଜେଡି ନେତାଙ୍କ ବାଇଟ ଉପରେ ପ୍ରତିବନ୍ଧକ ଲଗାଗଲା । ଓଟିଭି ନାମରେ ସ୍ୱାଧୀକାର ଭଙ୍ଗର ମାମଲା କରି ସଂସ୍ଥାର ଏମଡିଙ୍କୁ କ୍ଷମା ପ୍ରାର୍ଥନା ପାଇଁ ବାଧ୍ୟ କରାଗଲା । ଏହା ପରେ ଓଟିଭି ନାମରେ ଜମି ଦୁର୍ନୀତି, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଘଟଣାକୁ ନେଇ ଏକାଧିକ କର୍ମଚାରୀଙ୍କ ନାମକୁ ଯୋଡାଯାଇ କାହାକୁ ପୁଲିସ ଉଠାଇ ନେଉଛି ତ କାହାକୁ ସମନ କରାଯାଇ ପରେ ଗିରଫ କରାଯାଉଛି । ତେବେ ଏହି ଗିରଫଦାରି ପରେ ଥାନାରେ ଏପରି କେଉଁ ପ୍ରକାର ସକ୍ରାର ହେଉଛି କେଜାଣି, ଥରେ ଜାମିନରେ ବାହାରିବା ପରେ ସେହି କର୍ମଚାରୀ ସଂସ୍ଥାରୁୁ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଇସ୍ତଫା ଦେଉଛନ୍ତି । ସରକାର ତଥା ସରକାରୀ କଳର ଏପରି ମାତ୍ରାଧିକ ଦମନଲୀଳାକୁ ନେଇ ସର୍ବତ୍ର ଚର୍ଚ୍ଚା । ସରକାରର ଏପରି ଆକ୍ରୋଶମୂଳକ ପଦକ୍ଷେପକୁ ବୁଦ୍ଧିଜୀବୀ ନାପସନ୍ଦ କରିବା ସହ ଓଟିଭିକୁ ହଇରାଣ କରିବାକୁ ତଥା ପୁଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ଦର୍ଶାଇବାକୁ ଏପରି କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।