ଲାଞ୍ଜିଗଡ଼: ସହରାଞ୍ଚଳର ମୁଖ୍ୟ ରାସ୍ତାରୁ ଗ୍ରାମାଞ୍ଚଳକୁ ରାସ୍ତାକୁ ସଂଯୋଗୀକରଣ ହେଉଛି ସରକାରଙ୍କ ଗୁରୁତ୍ୱପୁର୍ଣ୍ଣ କାର୍ୟ୍ୟ। ଏଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ସଡକ ଯୋଜନା ହାତକୁ ନେଇଛନ୍ତି। ଏହା କେତେକ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବରଦାନ ସ୍ୱରୁପ ସାଜିଥିବା ବେଳେ ଅନ୍ୟ କିଛି ଗ୍ରାମବାସୀ ଏହି ଯୋଜନା ବିଷୟରେ ଅବଗତ ନୁହଁନ୍ତି।ଏଭଳି ଏକ ଗାଁ ହେଉଛି ଦୁର୍ଗମ ପାହାଡ ପର୍ବତ ଘେରା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ଲାଞ୍ଜି ପଞ୍ଚାୟତର ତୁର୍କା ଗାଁ।
ଏହି ଗାଁରେ ୩୫ରୁ ଅଧିକ ପରିବାର ରହୁଥିବା ବେଳେ ସମସ୍ତେ ଆଦିବାସୀ ଶ୍ରେଣୀର। ଦୁର୍ଭାଗ୍ୟର ବିଷୟ ଏଠାରେ ପାଦଚଲା ରାସ୍ତାଟିଏ ନାହିଁ। ସରକାରଙ୍କ ବିଭିନ୍ନ ଯୋଜନା ଉକ୍ତ ଅଞ୍ଚଳରେ ଅପହଞ୍ଚ ହୋଇ ରହିଛି। ରାସ୍ତା ନଥିବାରୁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେକୌଣସି ରୋଗ ହେଲେ କିମ୍ବା ଗର୍ଭବତୀ ମହିଳାଙ୍କୁ ଯନ୍ତ୍ରଣା ହେଲେ ଖଟିଆରେ ବୋହି ୮କିମି ପାଦରେ ଚାଲି ଚାଲି ମୁଖ୍ୟ ରାସ୍ତାକୁ ଅଣା ଯାଇଥାଏ। ପିଡିଏସ ସାମଗ୍ରୀ ପାଇଁ ପାଦରେ ଚାଲି ଚାଲି ୧୫କିମି ପଞ୍ଚାୟତକୁ ଯିବାକୁ ପଡିଥାଏ। ସ୍କୁଲ ନଥିବାରୁ ଗାଁ ପିଲା ପାଠ ପଢି ନପାରି ବେକାର ହୋଇ ଗାଈ ଚରାଇ ବୁଲୁଛନ୍ତି। କିଛିପିଲା ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯୁବାଗାଁ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି।
ସ୍ଥାନୀୟ ଅଞ୍ଚୂରେ ଆଉ ଏକ ସମସ୍ୟା ହେଉଛି ପିଇବା ପାଣି। ଗାଁରେ ନଳକୂଅ ନଥିବାରୁ ନାଳପାଣି ଉପରେ ଭରସା କରୁଛନ୍ତି ଏଠାକାର ଅଦିବାସୀ। ଏଥିାପାଇଁ ଅନେକ ସରକାରୀ ଯୋଜନା ଥିଲେ ମଧ୍ୟ ଏଠାକାର ଅଦିବାସୀଙ୍କ ପାଇଁ ସବୁ ଅପହଞ୍ଚ ହୋଇପଡିଛି। ରାସ୍ତା ନଥିବା କାରଣରୁ ସରକାରୀ କର୍ମଚାରୀ ମାନେ ଉକ୍ତ ଅଞ୍ଚଳର ଦୁଃଖସୁଖ ବୁଝିବା ପାଇଁ ଗାଁକୁ ଯିବାକୁ ଇଛା ପ୍ରକାଶ କରନ୍ତି ନାହିଁ। ଏହି ଗାଁରେ ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମର କୌଣସି କାମ ହାତକୁ ନିଆଯାଇ ନାହିଁ । ଗାଁରେ ପାଇଖାନା ନଥିବାରୁ ଗାଁ ଲୋକେ ବାହାରେ ମଳତ୍ୟାଗ କରି ଅନେକ ସଂକ୍ରାମକ ରୋଗରେ ପଡିଥାନ୍ତି । ଗାଁ ପାଇଁ ବିଜୁଳି ଆଲୁଅ ସାତସପନ। ଡିବିରି ଆଲୁଅ ହିଁ ସାହାଭରସା। ଏମିତି ବିଭିନ୍ନ ସମସ୍ୟା ଦେଇ ଘାଣ୍ଟି ଚକଟି ହେଉଛନ୍ତି ତୁର୍କା ଗ୍ରାମବାସୀ।
ଚଳିତ ବର୍ଷ ମୁଖ୍ୟରାସ୍ତା ଠାରୁ ଯୁବାଗାଁ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହୋଇଛି। ଆଉ ୮କିମି ରାସ୍ତା ହୋଇଥିଲେ ଏହି ଗାଁର ଭାଗ୍ୟ ବଦଳି ଯାଇଥାନ୍ତା କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କୁ ଅନେକ ନେହୁରା ହୋଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିବା ଗ୍ରାମବାସୀମାନେ କହିଛନ୍ତି। ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ଠାରୁ ଜିଲ୍ଲାପାଳ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର କୌଣସି ଅଧିକାରୀ ସେମାନଙ୍କ ଦୁଃଖ ବୁଝୁ ନାହାନ୍ତି। ଗତ କିଛିଦିନ ତଳେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କୁ ଲିଖିତ ଭାବରେ ନିଜ ଗୁହାରୀ ଜଣାଇଥିଲେ। ଏହି ଗାଁର ସମସ୍ୟାକୁ ନେଇ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ ଚଳିତ ବର୍ଷ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସେହି ଗାଁକୁ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ସେହିଦିନ କେବେ ଆସିବ ତାହାର ଅପେକ୍ଷାରେ ଗ୍ରାମବାସୀ ରହିଛନ୍ତି।
