(ସିଦ୍ଧେଶ୍ୱର ସ୍ୱାଇଁ/କୁଜଙ୍ଗ):ମଙ୍ଗଳବାର ପାରାଦ୍ୱୀପ ନିକଟସ୍ଥ ଇଫକୋ ଛକ ନିକଟରେ ଥିବା ହୋଟେଲ ଶ୍ରୀ ରେସିଡେଣ୍ଟ ଛାତରୁ ଖସି ପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣକ ମହାରାଷ୍ଟ୍ର ଘଟକପୁର ଜିଲ୍ଲାର ସିଦ୍ଧାର୍ଥ ନଗର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମୃତକ ଜଣକ ଗତ ଫେବୃଆରୀ ମାସ ୨୨ ତାରିଖରୁ ଉକ୍ତ ହୋଟେଲର ୩୧୯ ରୁମରେ ରହିବା ସହିତ ପାରାଦ୍ୱୀପ ତୈଳ ବିଶୋଧନାଗାରରେ କାମ କରୁଥିଲେ । ତାଙ୍କ ସହିତ କେରଳ ୱାୟନାଡ଼ର ଆଉ ଜଣେ ବ୍ୟକ୍ତି ରହୁଥିଲେ। ତେବେ ମଙ୍ଗଳବାର ସକାଳେ ହଠାତ ଯୁବକ ଜଣକ ହୋଟେଲ ଛାତ ଉପରୁ ତଳକୁ ଖସି ପଡି ମୃତ୍ୟୁ ବରଣ କରିଥିଲେ। ଘଟଣା ସ୍ଥଳରେ ପାରାଦ୍ୱୀପ ଆଦର୍ଶ ଥାନା ପୁଲିସ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ କରିବା ସହିତ ମୃତ ଯୁବକଙ୍କ ସାଙ୍ଗରେ ହୋଟେଲ ରୁମରେ ରହୁଥିବା ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରା ଉଚରା ଚଳାଇଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଥିଲେ ହେଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ। ହୋଟେଲ କର୍ମଚାରୀ ଙ୍କ କହିବାନୁଯାୟୀ ଗତ କାଲି ରାତି ପର୍ୟ୍ୟନ୍ତ ମୃତ ଯୁବକଙ୍କ ଠାରେ ସେମିତି କିଛି ମାନସିକ ଅବସାଦ ଥିବା କେହି ଲକ୍ଷ୍ୟ କରି ନ ଥିବା ବେଳେ ଘଟଣା ସମ୍ପର୍କିତ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
previous post
next post