ଓଡିଶା

କିଟ୍ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଶିକ୍ଷା ହେଉଛି ଏକ ଦୀର୍ଘ ଏବଂ କଠିନ ଯାତ୍ରା। କିନ୍ତୁ ଏହା ବିଶ୍ୱରେ ପରିବର୍ତ୍ତନ ଆଣିବାରେ ସକ୍ଷମ । କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଜୀବନ ଜୀବିକା ହରାଇଛନ୍ତି। ବିଶ୍ୱର ୫୦% ଲୋକ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ଏହା ଆମ ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ଦର୍ଶାଉଛି। ବିଶ୍ୱର ପୁନଃନିର୍ମାଣ ପାଇଁ ତୁମ୍ଭମାନଙ୍କ ପାଇଁ ମହାମାରୀ ହେଉଛି ଏକ ସୁଯୋଗ। ତୁମ୍ଭେମାନେ ଏପରି ଏକ ବିଶ୍ୱ ନିର୍ମାଣ କର ଯାହା ଅଧିକ ସ୍ଥିତିସ୍ଥାପକ ହେବା ସହ ସବୁକ୍ଷେତ୍ରରେ ସମାନତା ରକ୍ଷାକରିବ । କିଟ୍ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବରେ ଶନିବାର ମୁଖ୍ୟଅତିଥି ଭାବେ ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ପ୍ରଫେସର ମହମ୍ମଦ ୟୁନୁସ୍ ଦୀକ୍ଷାନ୍ତ କହିଛନ୍ତି । କରୋନା ମହାମାରୀ ଦୃଷ୍ଟିରୁ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହୋଇଛି।
ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର କହିଲେ, ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଏକ ସୁଦୃଢ ବ୍ୟକ୍ତିତ୍ୱ ଗଠନ କରିବା, ଯାହା ନୂତନ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବାରେ ସହାୟକ ହୋଇଥାଏ। ଏହା ମଧ୍ୟ ଉଦାର ମନୋଭାବ ଏବଂ ନମ୍ରତାର ସହ ଜ୍ଞାନ ଆହରଣ ଜାରି ରଖିବାରେ ସାହାଯ୍ୟ କରିଥାଏ। ଇରକନ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏସ୍.କେ.ଚୌଧୁରୀ ଏବଂ ଭାରତର ପାଣିପାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ମାନ ସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ, ଉପକୁଳାଧିପତି ଡ. ସୁବ୍ରତ ଆଚାର୍ୟ୍ୟ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏବଂ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ଅଭିନନ୍ଦନ ଜଣାଇଥିଲେ।
୨୦୧୯-୨୦ ଶିକ୍ଷା ବର୍ଷର ୭୧୩୫ଜଣ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା । ବିଟେକ୍ ଛାତ୍ର ପ୍ରଖର ପ୍ରିୟେସ୍, ରୋଶନ ଓଝା ଏବଂ ଏମଟେକ୍ ଛାତ୍ର ଶ୍ରୀଷ୍ଠି ରାଜଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିବାବେଳେ ୨୩ଜଣ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୨୮ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟପଦକ, ପି. କେ. ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍ ସ୍ୱର୍ଣ୍ଣପଦକ, ନନୀବାଳା ସ୍ମାରକୀ ସ୍ୱର୍ଣ୍ଣପଦକ ଏବଂ କୃଷ୍ଣ ଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ୯୫ଜଣ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚଡ଼ି ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା ।

 

Related posts

ଦୁଇ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

mahabharatanews

୧୭ ପର୍ଯ୍ୟନ୍ତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

mahabharatanews

ଆସନ୍ତା ଜୁଲାଇ ୩୧ ସୁଦ୍ଧା ସରିବ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା

mahabharatanews