(ଗୋଲାପ ସାହୁ/କଳାହାଣ୍ଡି):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତମୁଣ୍ଡା ଗାଁରେ ଶନିବାର ୩୦୦ ଲିଟର ଚୋରା ମଦ ଜବତ ହୋଇଛି । ତେବେ ଏତେ ପରିମାଣର ମଦ ଜବତ ପୋଲିସ ବା ଅବକାରୀ ବିଭାଗର ଚଢାଉରେ ହୋଇନାହିଁ । ଚୋରା ଚାଲାଣ ହେଉଥିବା ସମୟରେ ଗୋତମୁଣ୍ଡା ଗାଁ ଲୋକେ ଏହାକୁ ଜବତ କରିଛନ୍ତି । କିନ୍ତୁ ଗାଁ ଲୋକଙ୍କ ଚଢାଉ ବେଳେ ମଦ ବେପାରୀ ଫେରାର ହୋଇଯାଇଥିଲେ । ଲକ୍ଡାଉନ ଆରମ୍ଭ ହେବା ଦିନ ଠାରୁ ଦେଶୀ ମଦ ଭାଟି ବନ୍ଦ ରହିବାର ସୁଯୋଗ ନେଇ ମଦ ବେପାରୀ ହାତରନ୍ଧା ମଦ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ପୋଲିସ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଗାଁ ଲୋକେ ବାଧ୍ୟ ହୋଇ ଆଜି ଅଚାନକ ଭାବେ ଚଢାଉ କରି ପ୍ରାୟ ୩୦୦ ଲିଟର ରନ୍ଧା ମଦ ଜବତ କରିଥିଲେ । ପୋଲିସଙ୍କୁ ବଟି ଦେଇ ନବରଙ୍ଗପୁରରୁ ବେପାରୀମାନେ ମଦ ଚୋରା ଚାଲାଣ କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଠାରେ ପୂର୍ବରୁ ଅଭିଯୋଗ ହୋଇ ଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଫଳରେ ଏଠାରେ ମଦ ମାଫିଆଙ୍କ ଅବାଧ କାରବାର ଉପରେ ରୋକ ଲଗାଇବା ପାଇଁ ଗାଁ ଲୋକେ ଅଣ୍ଟା ଭିଡିଥିବା କହିଛନ୍ତି । ଶନିବାର ଜଙ୍ଗଲ ରାସ୍ତା ଦେଇ ମଦ ଆସୁଥିବା ଖବର ପାଇ ଗୋତମୁଣ୍ଡା ଗ୍ରାମବାସୀ ମାନେ ମିଳିତ ଚଢାଉ କରିଥିଲେ । ଫଳରେ ମଦ ବେପାରୀ ଘଟଣାସ୍ଥଳରୁ ଛୁ ହୋଇଥିଲେ । ୩୦୦ ଲିଟର ହାତରନ୍ଧା ମଦ ଜବତ କରିବା ପରେ ପୋଲିସକୁ ଗାଁ ଲୋକେ ଖବର ଦେଇଥିଲେ ।
previous post