ଓଡିଶା

ରାଜଧାନୀରେ ପୁଲିସ ପ୍ରୋତ୍ସାହନାରେ ଚାଲିଛି ଧଳା ଜହର କାରବାର

ଭୁବନେଶ୍ୱର: ରାଜଧାନୀରେ ଧଳା ଜହର କାରବାର । ଖୁଲମ ଖୁଲା ଚାଲିଛି ଏହି କାରବାର । ପୁଲିସ ସବୁ ଜାଣି ଅଜଣା ଚାଉଳ ଭାତ ଖାଉଛି । ଏପରି ଘଟୁଛି ସହିଦ ନଗର ଥାନା ଅଧୀନରେ । ସହିଦ ନଗର ଥାନା ଅଧିକାରୀଙ୍କ ନାକ ତଳେ, ତାଙ୍କ ଜ୍ଞାତସାରରେ ଧଳା ଜହର କାରବାର ସେକେଣ୍ଡ ପୋଷ୍ଟାଲ କଲୋନୀ ନିକଟରେ ଚାଲିଛି । ପୋଷ୍ଟାଲ କଲୋନୀ ନିକଟରେ ଥିବା ବହୁ ଦୋକାନରେ ଚାଲିଛି ଧଳା ଜହରର କାରବାର । ଏହି କାରବାର ନେଇ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପୁଲିସ ଜାଣିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଉଥିବା ବେଳେ କିନ୍ତୁ କମିଶନରେଟ ପୁଲିସ ସାଜିଛି ନିରବ ଦ୍ରଷ୍ଟା । ଦକ୍ଷ କମିଶନରେଟ ପୁଲିସର ଦକ୍ଷ ଅଧିକାରୀ ଏହି କଳା ଜହରକାରବାରୀଙ୍କ ନିକଟରେ ଅସହାୟ ହୋଇ ପଡିଥିବା ପରି ମନେ ହେଉଛି ।

ଭିଏସଏସ ନଗରର ସେକେଣ୍ଡ ପୋଷ୍ଟାଲ କଲୋନୀ ନିକଟରେ ଥିବା ଏକାଧିକ ବେପାରୀ ଏହି ଧଳା ଜହରର କାରବାରରେ ସମ୍ପୃକ୍ତ । ସେହି ସବୁ ଦୋକାନ ନିକଟରେ ଦିନରାତି ପ୍ରବଳ ଭିଡ । କିନ୍ତୁ ଏହି ଭିଡ ଆଡକୁ ଯାଉନି ସହିଦ ନଗରର ଥାନା ପୁଲିସର ନଜର । ଅନ୍ୟପଟେ କୋଭିଡ କଟକଣା ନାମରେ ପୁଲିସ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦୋକାନୀଙ୍କୁ ଜରିମାନା କରିବା ସହ ଦୋକାନ ବନ୍ଦ କରି ଦେଉଛି । ହେଲେ ଧଳା ଜହର ବେପାରୀଙ୍କୁ କୌଣସି ତାଗିଦ ନାହିଁ । ସେମାନେ ବିନ୍ଦାସ ହୋଇ ଚଳାଇଛନ୍ତି ବେପାର । ଏହି ଦୋକାନ ଆଗରେ ସକାଳୁ ରାତି ଅଧ ଯାଏଁ ଭିଡ । ଏଠାରେ ନାଁ ରହୁଛି ସାମାଜିକ ଦୂରତା, ନାଁ ମାସ୍କ ପରିଧାନ କରାଯାଉଛି । ସେହି ରାସ୍ତା ଦେଇ ସହିଦନଗର ପୁଲିସ ଏକାଧିକ ବାର ଯା ଆସ କରୁଥିଲେ ମଧ୍ୟ ସେହି ଦୋକାନକୁ ଦେଖି ନ ଦେଖିବା ପରି ଚାଲିଯାଉଛି ।

କମିଶନରେଟ ପୁଲିସ ରାଜଧାନୀକୁ ଅପରାଧ ଓ ନିଶା କାରବାର ମୁକ୍ତ କରିବାକୁ ନେଇ ବିଭିନ୍ନ ସମୟରେ ନାନା ପଦକ୍ଷେପ ନେଉଛି । ଆରମ୍ଭ ହେଉଛି ବିଭିନ୍ନ ଡ୍ରାଇଭ । କିନ୍ତୁ ଦେଖାଦେଉଛି କି ଅପରାଧ ଅପରାଧ ବାଟରେ ଚାଲିଛି, ହେଲେ ପୁଲିସ ଦେଖି ନ ଦେଖିବା ପରି ଅଭିନୟ କରୁଛି । ଏହାକୁ ଦେଖି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି କି ପୁଲିସ ବଟି ନେଇ ଏହି କାରବାରକୁ ପ୍ରୋତ୍ସାହନା ଦେଉଛି । ଯେଉଁଠି ପୁଲିସର ମାସିକ ବଟି ଦେବାରେ ବେପାରୀ ବିଫଳ ହେଉଛନ୍ତି, ସେଠାରେ ପୁଲିସ ସେହି ବେପାରୀଙ୍କୁ ଧରି ନିଜ ପାରିଲା ପଣିଆ ମିଡିଆ ଆଗରେ ଦେଖାଉଛି । ପୁଲିସର ସହଯୋଗରେ ଏହି ବେପାରୀମାନେ ନିର୍ଭୟରେ ସେମାନଙ୍କ ବେପାର ଚଳାଇଛନ୍ତି । ଖାଲି ସେତିକି ନୁହେଁ, ସହିଦ ନଗର ଥାନା ଅଧିକାରୀଙ୍କ ସହଯୋଗ ପାଇବାରୁ ଏହି ନିଶା କାରବାରୀ ସ୍ଥାନୀୟ ଅଞ୍ଚଳରେ ଦାଦାଗିରି ଚଳାଇଛନ୍ତି । ଏମାନଙ୍କୁ କେହି ବିରୋଧ କଲେ ଓଲଟି ଅପରାଧି ସେମାନଙ୍କୁ ଧମକ ଚମକ ଦେବା ସହ ମାରପିଟ କରୁଛନ୍ତି । ତେବେ ସହିଦ ନଗର ଥାନା ପୁଲିସ ନାମରେ ଏହି ଗୋଟିଏ ଅଭିଯୋଗ ନାହିଁ । ପୂର୍ବରୁ ମଧ୍ୟ ଆମେ ସହିଦ ନଗର ଥାନା ପୁଲିସର ବଟି ଆଦାୟ ଓ ପୋଷ୍ଟାଲ କଲୋନୀ ନିକଟରେ ହେଉଥିବା ଧଳା ଜହର କାରବାର ସ୍ଥାନଠାରୁ ମାତ୍ର କିଛି ମିଟର ଦୂରରେ ଦେହ ବ୍ୟବସାୟ ନେଇ ଖବର ପ୍ରକାଶ କରିଛୁ । ପୁଲିସ ଦେହ ବ୍ୟବସାୟୀଙ୍କଠାରୁ ମଧ୍ୟ ଅର୍ଥ ନେଇ ସେଠାରେ ଏହି କାରବାର ଚଳାଇଥିବାକୁ ନେଇ ଲୋକେ ଅଭିଯୋଗ ଆଣିଥିଲେ ମଧ୍ୟ ପୁଲିସ ନିରବ ଦ୍ରଷ୍ଟା ସାଜିଆସିଛି । ଏବେ ଚାଲିଛି ଧଳା ଜହରର ବନ୍ୟା । ଯୁବକ, ବୁଢା ସମସ୍ତେ ନିଶାସକ୍ତ ହେଉଛନ୍ତି । ଏହି ନିଶାକାରବାରକୁ ନେଇ ବିଭିନ୍ନ ସମୟରେ ଦେଖାଦେଉଛି ନାନା ଅଘଟଣ । କିନ୍ତୁ ଏସବୁକୁ ନେଇ ପୁଲିସ କୌଣସି ପଦକ୍ଷେପ ନେଉ ନାହିଁ ।

ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି, କାହିଁକି ସହିଦ ନଗର ପୁଲିସ ନିରବ ? କିଏ ଏହି ଧଳାଜହର କାରବାର ପଛର ମାଷ୍ଟର ମାଇଣ୍ଡ? କାହା ଭୟରେ ପୁଲିସ ସବୁ ଜାଣି ମଧ୍ୟ ନଜାଣିବାର ଅଭିନୟ କରୁଛି? କଣ ଖାଲି ବଟି ଅର୍ଥରେ ସହିଦ ନଗର ଥାନା ଅଧିକାରୀ ଓ ତାଙ୍କ ଦଳ ବଳଙ୍କ ପକେଟ ଗରମ ହୋଇଯାଉଛି ବୋଲି ନା ଏହି କାରବାର ପଛରେ କୌଣସି ପ୍ରତିପତିଶାଳୀ ବ୍ୟକ୍ତିଙ୍କ ପ୍ରଚ୍ଛନ୍ନ ହାତ ରହିଛି, ଯାହାଙ୍କୁ ଭୟ କରି ଥାନା ଅଧିକାରୀ ଚୁପ ରହିବାକୁ ଶ୍ରେୟ ମଣୁଛନ୍ତି?

Related posts

ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

mahabharatanews

ଲକଡାଉନ ଉଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

mahabharatanews

ସଙ୍ଗରୋଧ କେନ୍ଦ୍ର ରେ ୧୪ ଦିନ ରହି ଘରକୁ ଫେରି ଲେ ପ୍ରବାସୀ

mahabharatanews