(ବ୍ରହ୍ମପୁର) : ବ୍ରହ୍ମପୁର ସହରରେ ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଗିରଫ ହୋଇଥିବା ୫ ଜଣ କଲେଜ ଛାତ୍ରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ପୀଡ଼ିତା ଜଣଙ୍କ ଚିକିତ୍ସାଧୀନ ଅଛନ୍ତି । ଘଟଣାରେ ସମ୍ପୃକ୍ତ ଅନ୍ୟ କେତେଜଣ ଫେରାର୍ ଅଛନ୍ତି । ପୀଡ଼ିତାଙ୍କୁ ଆର୍ଥିକ ସହାୟତା ପାଇଁ ଜିଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ଚିଠି କରାଯିବ ବୋଲି ପୋଲିସ କହିଛି ।
ସୂଚନାନୁଯାୟୀ , ଇଞ୍ଜିନିୟରିଂ ଛାତ୍ର ରୁତୁନ କୁମାର ଦାଶ(୨୨), ଆକାଶ ନାୟକ (୨୬), ଜୁମନ ଗୌଡ଼ (୧୯), ଫାର୍ମାସୀ ଛାତ୍ର ରୁଦ୍ର ଜେନା (୨୧) ଓ ବିସିଏ ଛାତ୍ର ଅଭିଳାଷ ପୋଲାଇ(୨୧) । ଗତ ୩ ତାରିଖ ଛାତ୍ରୀ ଜଣଙ୍କ ତାଙ୍କର ଜଣେ ଝିଅ ସାଙ୍ଗଙ୍କୁ ଭେଟିବା ପରେ ହିଲ୍ପାଟଣାରେ ବାପାଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ସହପାଠୀ ତଥା ଅଭିଯୁକ୍ତ ରୁତୁନ ସେଠାରେ ପହଞ୍ଚି ନୂଆ ବସ୍ଷ୍ଟାଣ୍ଡ ନିକଟରେ ଥିବା ତାଙ୍କ ଘରକୁ ଡାକିଥିଲେ । ଛାତ୍ରୀ ଜଣଙ୍କ ତାଙ୍କ ସହ ଯାଇ ସେଠାରେ ପହଞ୍ଚିବା ପରେ ତାହା ଏକ ବ୍ୟାଚଲର ରୁମ୍ ବୋଲି ଜାଣିପାରିଥିଲେ । ଉକ୍ତ ଘରେ ଅନ୍ୟ କେତେଜଣ ଯୁବକ ମଧ୍ୟ ଥିଲେ । ଘରେ କେହି ମହିଳା ନ ଥିଲେ ମଧ୍ୟ ରୁତୁନ କିଛି ମୃଦୁପାନୀୟ ଦେବାକୁ ମିଛରେ ମା’ଙ୍କୁ ଡାକିଥିଲେ। ପରେ ସେ ଛାତ୍ରୀଙ୍କୁ ନିଶାଯୁକ୍ତ ମୃଦୁପାନୀୟ ପିଇବାକୁ ଦେଇଥିଲେ । ଏହାପରେ ଛାତ୍ରୀ ଜଣଙ୍କ କିଛି ଜାଣିପାରି ନ ଥିଲେ । ଆଉ ଏହାର ସୁଯୋଗ ନେଇ ୭ରୁ ୮ଜଣ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ ମଧ୍ୟ ପ୍ରତିବାଦ କରିବାକୁ ପୀଡ଼ିତା ସକ୍ଷମ ନ ଥିଲେ ।