ଓଡିଶା

ଦୁର୍ନୀତିଖୋର ଅକ୍ଟୋପସ ପରି ଖୋଳ କରୁଛନ୍ତି ଇଡକୋକୁ

ଭୁବନେଶ୍ୱର: ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ଡେଭେଲପମେଣ୍ଟ କର୍ପୋରେସନ (ଇଡକୋ) ପାଲଟିଛି ଦୁର୍ନୀତିର ଏନ୍ତୁଡିଶାଳା । ଭୁବନେଶ୍ୱରରେ ଇଣ୍ଡଷ୍ଟ୍ରିଆଲ ସେଟ ଅପ ପାଇଁ ଜାଗା ଦରକାର ହେଉଥିଲେ ଇଡକୋ ହିଁ ଜାଗା ଯୋଗାଇ ଦେଇଥାଏ, ଏକଥା ସମସ୍ତଙ୍କୁ ଜଣା । କିନ୍ତୁ ସଂସ୍ଥାର କିଛି ଦୁର୍ନୀତିଖୋର କର୍ମଚାରୀଙ୍କ ପାଇଁ ଭୁବନେଶ୍ୱରରେ ଦେଖା ଦେଇଛି ଇଣ୍ଡଷ୍ଟ୍ରିଆଲ ଜାଗା ମିଳିବାରେ ବ୍ୟାପକ ଅନିୟମିତତା । ସମସ୍ତ କ୍ରାଇଟେରିଆ ପୂରଣ କରି ମଧ୍ୟ ଉପଯୁକ୍ତ ଓ ଦକ୍ଷ ଉଦ୍ୟୋଗୀ ଜାଗା ଖଣ୍ଡେ ନ ପାଇ ନିରାଶ ହେଉଛନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଇଡକୋର ଏକାଧିକ ଜାଗାକୁ ନିଜ କବଜାରେ ରଖିଛନ୍ତି ଦୀର୍ଘ ବର୍ଷ ଧରି ବିନା ଆଲଟମେଣ୍ଟରେ । କିନ୍ତୁ ସେହି ଜବରଦଖଲକାରୀଙ୍କଠାରୁ ଜାଗା ଫେରାଇ ଆଣିବାରେ ବିଫଳ ଇଡକୋ । ନା ସେହି ଜବରଦଖଲକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉଛି, ନାହିଁ ଜାଗାକୁ ଅନ୍ୟକୁ ହସ୍ତାନ୍ତର କରାଯାଉଛି । ଏହା ସମ୍ଭବ ହେଉଛି ଇଡକୋର କିଛି କର୍ମଚାରୀଙ୍କ ପାଇଁ ।

ପୂର୍ବରୁ ଆମେ କହିଥିଲୁ, ଇଡକୋର ପୂର୍ବତନ ଅଧିକାରୀ ପୁଷ୍ପରାଜ ପ୍ରଧାନ, ତାଙ୍କ ଭାଇ ତଥା ଓଏଏସ ଜେନାଙ୍କ ମିଲି ଭଗତରେ ରାଜଧାନୀରେ ହେଉଛି ଜମି ଆବଣ୍ଟନ । ଯାହାକୁ ଇଛା ତାକୁ ଯୋଗାଇ ଦେଉଛନ୍ତି ଜାଗା । ଯିଏ ଏହି ଅଧିକାରୀମାନଙ୍କ ପକେଟ ଗରମ କରିବାରେ ସକ୍ଷମ ହେଉଛନ୍ତି ସେମାନଙ୍କୁ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଷ୍ଟେଟ ପରି ହାଇପ୍ରୋଫାଇଲ ଏରିଆରେ ପାଉଛନ୍ତି ବିରାଟ ଜାଗା । କିଛି ଲୋକ ଚନ୍ଦକାରେ ଜାଗା ପାଇଁ ଆବେଦନ କରୁଥିଲେ ମଧ୍ୟ ସେମାନଙ୍କୁ ମଞ୍ଚେଶ୍ୱରରେ ଜାଗା ମିଳିଥାଏ । ଅନ୍ୟପଟେ ସବୁ କାଗଜପତ୍ର ଥାଇ ମଧ୍ୟ ଏହି ଦୁଇ ବାବୁଙ୍କୁ ପଟେଇ ନ ପାରି ଲୋକେ ଚନ୍ଦକାରେ ପାଉଛନ୍ତି ବା ଜମାରୁ ଜାଗା ପାଉ ନାହାନ୍ତି ।

ଇଡକୋ କର୍ମଚାରୀଙ୍କ ଆଇନ ବହିର୍ଭୁତ କାର୍ଯ୍ୟକୁ ନେଇ ମନେ ହେଉଛି ସତେ ଯେମିତି ଇଡକୋରେ ନାହାନ୍ତି କେହି ମୁରବୀ । ମୁରବୀ ବିହୀନ ହୋଇ ଚାଲିଛି ଏହି ସରକାରୀ ସଂସ୍ଥା । ଯେଉଁଥି ପାଇଁ ବହୁ ଯୁବା ଉଦ୍ୟୋଗୀ ନିଜ ଗୋଡରେ ଠିଆ ହେବା ସହ ଅନ୍ୟମାନଙ୍କୁ ନିଯୁକ୍ତି ଯୋଗାଇ ଦେବାରେ ଅସମର୍ଥ ହେଉଛନ୍ତି । କିନ୍ତୁ କର୍ମଚାରୀଙ୍କୁ ହାତ କରି ଏକାଧିକ ଜାଗା ଇଡକୋର କବଜା କରି ବସିଛନ୍ତି ଜନୈକ ବ୍ୟକ୍ତି ସରୋଜ କୁମାର ତରାସିଆ । ପ୍ରାରମ୍ଭିକ ଅବସ୍ଥାରେ ଇକୋ ତରଫରୁ ପଟିଆର ଏକ ଜାଗା ପାଇଁ ସରୋଜଙ୍କ ଟେକ୍ନୋ ଗ୍ରୁପ ନାମକ ଏକ ସଫ୍ଟୱେୟାର କମ୍ପାନୀ ଆବେଦନ କରିଥିଲା ଓ ସେହି ଜାଗା ତାଙ୍କୁ ଦିଆଯାଇଥିଲା ୨୦୦୮ ମସିହାରେ । ଜାଗାଟିକୁ ପାଇ ମଧ୍ୟ ସେଠାରେ ଉପରୋକ୍ତ ବ୍ୟକ୍ତି କୌଣସି କାର୍ଯ୍ୟ ଆରମ୍ଭ କରି ନ ଥିଲେ । ଜାଗାଟିକୁ ଖାଲି କରି ପକାଇବାର ଦୀର୍ଘ ବର୍ଷ ପରେ ପରବର୍ତ୍ତୀ ସମୟରେ ୨୦୧୩ରେ ସେହି ଜାଗା ବଦଳରେ ସେ ଚନ୍ଦକାରେ ଅନ୍ୟ ଏକ ଜାଗା ପାଇଁ ଆବେଦନ କରି ହାସଲ କରି ନେଲେ । କିନ୍ତୁ ନୂଆ ଜାଗା ଆବଣ୍ଟନକୁ ୯ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାବତ୍ ପୂର୍ବ ଜାଗାଟିକୁ ସେ କବଜା କରି ବସିଛନ୍ତି । ତଥା ନୂଆ ଜାଗାରେ ମଧ୍ୟ କୌଣସି କାର୍ଯ୍ୟ ହୋଇ ନାହିଁ । ଅନ୍ୟ ପଟେ ଦୁଇ ଦୁଇଟି ଜାଗା ହାସଲ କରିଥିବା ସରୋଜଙ୍କର କୌଣସି ସ୍ଥିତି ନାହିଁ । ନାହିଁ କମ୍ପାନୀ ଅଛି ନାହିଁ କୌଣସି କର୍ମଚାରୀ ତାଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି । ବରଂ ଅନ୍ୟ ଏକ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ସବୁ କିଛି ନକଲରେ ହୋଇଛି । ସବୁ କାଗଜ ପତ୍ର ଜାଲି ।

ଅନ୍ୟପଟେ ରାଜଧାନୀରେ ଶିଳ୍ପ ସଂସ୍ଥା ଟିଏ ଖୋଲି ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଭାଗିଦାର ହେବାକୁ ଇଛା କରୁଥିବା ସାମର୍ଥ୍ୟବାନ ଶିଳ୍ପପତି ଜମି ପାଇବାରୁ ବଞ୍ଚିତ ହେଉଛନ୍ତି । ଏମିତି ଏକାଧିକ ସଂସ୍ଥା ରହିଛି, ଯେଉଁମାନଙ୍କର ଶିଳ୍ପ ସଂସ୍ଥାର ବ୍ୟବସାୟିକ କଳେବର ବୃଦ୍ଧି ପରେ ସେମାନେ ଅଧିକ ଜାଗା ଚାହୁଁଛନ୍ତି ସଂସ୍ଥାକୁ ବଢେଇବାକୁ । ହେଲେ ସେମାନଙ୍କୁ ଜାଗା ମିଳୁ ନାହିଁ । ଏହାକୁ ନେଇ ଉପରିସ୍ଥ ଅଧିକାରୀ, ଇଡକୋ ସିଏମଡିଙ୍କ ନିକଟରେ ମଧ୍ୟ ଏକାଧିକ ଅଭିଯୋଗ ହୋଇଛି । କିନ୍ତୁ ସମସ୍ତ ତଥ୍ୟ ପ୍ରମାଣ ସତ୍ତେ୍ୱ ମଧ୍ୟ ସେହି ଦଲାଲମାନଙ୍କଠି ହାତ ମାରୁ ନାହିଁ ଭିଜିଲାନ୍ସ କି ସରକାର । ଫଳରେ ଏହି ଦୁର୍ନୀତିଖୋରମାନେ ଅକ୍ଟୋପସ ପରି ଇଡକୋକୁ ଖୋଳ କରି ଚାଲିଛନ୍ତି । ଖାଲି ଇଡକୋକୁ ଖୋଳ କରୁଛନ୍ତି ତାହା ନୁହେଁ, ବହୁ ଶିଳ୍ପ ପ୍ରତିଷ୍ଠାକୁ ଅନ୍ୟ ରାଜ୍ୟକୁ ଚାଲିଯିବାକୁ ବାଧ୍ୟ କରୁଛନ୍ତି । ହେଲେ ସରକାର ସବୁ ଜାଣି ମଧ୍ୟ ନିଦା ବିଷ୍ଣୁ । ଖାଲି ତଳତଳିଆଙ୍କୁ ଧରି ସ୍ୱଚ୍ଛତା ପ୍ରତିପାଦନ କରି ଲୋକଙ୍କୁ ଭୁଆଁ ବୁଲାଉଛି ।

Related posts

ନିରୀକ୍ଷକଙ୍କ କର୍ଯ୍ୟାଳୟରେ ତାଲା ପକାଇଲେ ପଞ୍ଚାୟତ ବାସୀ

mahabharatanews

ରାସ୍ତାକଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

mahabharatanews

ଜଳମୟ ଭୁବନେଶ୍ୱର

mahabharatanews