ସାମୁଦ୍ରିକ ଝଡ଼ ‘ମୋଚା’ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ଏହି ଝଡ଼ ବାଂଲାଦେଶର କକ୍ସ ବଜାରଠାରୁ ୭୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମଦିଗରେ ୧୫.୩ ଡିଗ୍ରୀ ଉତ୍ତର ଓ ୮୯.୧ ଡିଗ୍ରୀ ପୂର୍ବଦିଗରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟା ମଧ୍ୟରେ ଏହା ୧୦ କିଲୋମିଟର ବେଗରେ ଧୀରେ ଧୀରେ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ଆସନ୍ତାକାଲି ମଧ୍ୟାହ୍ନରେ ଏହା କକ୍ସ ବଜାର ଏବଂ କିୟୁକପିୟୁ (ମିଆଁମାର) ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଶୁଖିଲା ପବନ, ପବନର ବେଗ ବୃଦ୍ଧି ଯୋଗୁଁ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ସାମାନ୍ୟ ଦୁର୍ବଳ ହୋଇପାରେ । ତଥାପି ପବନର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ଏବଂ ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ରହିବ। ଲାଣ୍ଡଫଲ ପରେ ବାତ୍ୟା ଦୁର୍ବଳ ହେବ । ଏହି ବାତ୍ୟା ଯୋଗୁଁ ବାଂଲାଦେଶର କକ୍ସ ବଜାରରେ ଥିବା ବିଶ୍ବର ବୃହତ୍ତମ ଶରଣାର୍ଥୀ ଶିବିର ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ଶରଣାର୍ଥୀ ଶିବିରରେ ନିକଟବର୍ତ୍ତୀ ମିଆଁମାରରୁ ପଳାୟନ କରିଥିବା ରୋହିଙ୍ଗ୍ୟାମାନେ ବାସ କରୁଛନ୍ତି । ବାତ୍ୟା ଶିବିର ନିକଟବର୍ତ୍ତୀ ଅଂଚଳରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବାରୁ ଏହି ଶରଣାର୍ଥୀମାନଙ୍କୁ ନିରାପତ୍ତାକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ ।
