ଅପରାଧ

ମାଲବାହୀ ଟ୍ରକରେ ଆସୁଛି ବେଆଇନ ବନ୍ଧୁକ,୨୦ ହଜାର ଟଙ୍କାରେ ମିଳୁଛି ବନ୍ଧୁକ

ଭୁବନେଶ୍ୱର: ରାଜ୍ୟରେ ବେଆଇନ ବନ୍ଧୁକ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ଏହି କାରବାର ପଛରେ ବଡ ବଡ ଗ୍ୟାଙ୍ଗ୍ଷ୍ଟାରଙ୍କ ସହଯୋଗ ରହଛି । ପୋଲିସ ଚଢାଉ କରି କାଁ ଭାଁ କିଛି ବନ୍ଧୁକ ଜବତ କରୁଥିଲେ ମଧ୍ୟ ଏହା ନଗନ୍ୟ । ବେଆଇନ ବନ୍ଧୁକ କାରବାରର କେତକ ମାମଲାରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ବାହାର ରାଜ୍ୟରୁ ବନ୍ଧୁକ ଆଣୁଥିବା ଜାଣିବାକୁ ପାଉଥିଲେ ମଧ୍ୟ ତଦନ୍ତ ପାଇଁ ବାହାର ରାଜ୍ୟକୁ ଯିବାକୁ କୁଣ୍ଠାବୋଧ କରୁଛି ।
କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାକ୍ସ ଫୋର୍ସ(ଏସ୍ଟିଏଫ୍) ବିଗତ ଦୁଇ ବର୍ଷ ମଧ୍ୟରେ ୪୭ ଟି ବନ୍ଧୁକ ଏବଂ ୮୦ ଟି ଜୀବନ୍ତ ଗୁଳି ଜବତ କରିଛି । ଏନେଇ ଗତ କାଲି କ୍ରାଇମ ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ଏ ବନ୍ଧୁକ ଆସୁଛି କେଉଁଠୁ, କିଏ ଆଣୁଛି, ଏହି କାରବାର ପଛରେ କିଏ ଅଛି ସେନେଇ ପୋଲିସ ତଦନ୍ତ କରୁନାହିଁ । କାରଣ ପ୍ରତିବର୍ଷ ବେଆଇନ ବନ୍ଧୁକ କାରବାର କରୁଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବନ୍ଧୁକ ଜବତ କରି ଚୁପ୍ ବସିପଡୁଛି । ବାହାର ରାଜ୍ୟରୁ ବନ୍ଧୁକ ଆସୁଥିବା କଥା ପୋଲିସ ଜାଣୁଥିଲେ ମଧ୍ୟ କାହିଁକି ତଦନ୍ତ ଆଗକୁ ବଢାଉ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ତେବେ ପୁଲିସ ବାହାର ରାଜ୍ୟକୁ ନଯିବାର ଦୁଇଟି ପ୍ରମୁଖ କାରଣ ରହିଛି । ପ୍ରଥମ କଥା ହେଲା ଏଭଳି କାରବାର ପଛରେ ବଡ ବଡ ମାଫିଆଙ୍କ ହାତ ଥିବା ପୁଲିସ ମଧ୍ୟ ଜାଣିଛି । ତେଣୁ ଏଠାରୁ ଅନ୍ୟ ରାଜ୍ୟକୁ ଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୋଲିସ ପକ୍ଷେ କଷ୍ଟକର ହୋଇ ପଡୁଛି । ସେଠାକାର ପୋଲିସ ମଧ୍ୟ ତଦନ୍ତ କ୍ଷେତ୍ରରେ ଓଡ଼ିଶା ପୋଲିସକୁ ସହାୟତା କରୁୁନାହିଁ । ଏହାଛଡା ବାହାର ରାଜ୍ୟକୁ ଯାଇ ତଦନ୍ତ କରିବା ପାଇଁ ତଦନ୍ତକାରୀ ଅଫିସରମାନଙ୍କୁ ଓଡ଼ିଶା ପୋଲିସ ପକ୍ଷରୁ କୌଣସି ଆର୍ଥିକ ସହାୟତା ମିଳୁନାହିଁ । ଫଳରେ ତଦନ୍ତକାରୀ ଅଫିସରମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ତଦନ୍ତ କରିବାକୁ ମନ ବଳାଉନାହାନ୍ତିି । ଏଭଳି ମାମଲାରେ ତଦନ୍ତ କରିବାକୁ ହେଲେ ପୋଲିସ ବାହାର ରାଜ୍ୟରେ କିଛି ଦିନ ରହିବାକୁ ମଧ୍ୟ ପଡିବ । ଏଥିସହିତ ସେଠାକାର ପୋଲିସର ସହଯୋଗ ମଧ୍ୟ ନିହାତି ଆବଶ୍ୟକ । ହେଲେ ସେଠାରେ ବଡ ବଡ ମାଫିଆଙ୍କ ପୋଲିସ ସହ ସମ୍ପର୍କ ଭଲ । ତେଣୁ ସେମାନେ ଓଡ଼ିଶା ପୋଲିସକୁ ତଦନ୍ତ କ୍ଷେତ୍ରରେ ସହଯୋଗ କରୁ ନ ଥିବା ଓଡ଼ିଶା ପୋଲିସର ଜଣେ ଅଧିକାରୀ କହିଛନ୍ତିି ।
ମିଳିଥିବା ସୂଚନା ମୁତାବକ, ଓଡ଼ିଶାକୁ ଆସୁଥିବା ବନ୍ଧୁକ ଗୁଡିକ ଅଧିକାଂଶ ବିହାରର ମୁଙ୍ଗେର ଜିଲ୍ଲାରୁ ଆସୁଛି । ୪ ହଜାରରେ ଛୋଟ ଛୋଟ ପିସ୍ତଲ ମିଳୁଥିବା ବେଳେ ୫୦ ହଜାର ପର୍ଯ୍ୟନ୍ତ ବନ୍ଧୁକ ରହିଛି । ସେହି ବନ୍ଧୁକ ଓଡ଼ିଶା ଆସିବା ପରେ ୫ ଗୁଣାରୁ ଅଧିକ ଦାମରେ ବିକ୍ରି କରାଯାଉଛି । ବିହାରରୁ ମାଲବାହୀ ଟ୍ରକ ସାହାଯ୍ୟରେ ଓଡ଼ିଶାକୁ ବନ୍ଧୁକ ଆସୁଛି । ଟ୍ରକରେ ଆସୁଥିବା ବିଭିନ୍ନ ସାମଗ୍ରୀ ସହ ଚୋରାରେ ବନ୍ଧୁକ ଗୁଡିକୁ ଅଣାଯାଉଛି । ଓଡ଼ିଶାରେ ବିଶେଷ କରି ଇଞ୍ଜିନିୟରିଂ ଛାତ୍ରମ।।ନେ ଏହି କାରବାରରେ ସମ୍ପୃକ୍ତି ରହୁଛନ୍ତି । ପୂର୍ବରୁ ଅର୍ଡ଼ର ଅନୁଯାୟୀ ଛାତ୍ରମାନଙ୍କ ଜରିଆରେ ସେମାନଙ୍କ ପାଖରେ ବନ୍ଧୁକ ପହଞ୍ଚାଯାଉଛି । ଫଳରେ ପୋଲିସର ସନ୍ଦେହ ରହିବ ନାହିଁ । ଓଡ଼ିଶାର ବିଶେଷକରି ଜଗତସିଂହ÷ପୁର, ବାଲେଶ୍ୱର, ଭୁବନେଶ୍ୱର, କଟକ, ପୁରୀ ଆଦି ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ବେଆଇନ ବନ୍ଧୁକ କାରବାର ବଢିବାରେ ଲାଗିଛି । ଟେଣ୍ଡର ଫିକ୍ସିଂ, ହତ୍ୟା, ଅପହରଣ ଭଳି ଅପରାଧିକ କାର୍ଯ୍ୟ ସକାଶେ ଅପରାଧିମାନେ ବନ୍ଧୁକ କିଣୁଥିବା ଦେଖିବାକୁ ମିଳୁଛି ।

 

Related posts

ପୋଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତି ଘଟଣାର ତଦନ୍ତ ପାଇଁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ସିବିଆଇଟିମ୍‌

mahabharatanews

ଅଶ୍ଳୀଳ ଫଟୋ କରି ଗିରଫ ଯୁବକର ଦୌରାତ୍ମ୍ୟରେ ଅତିଷ୍ଠ ପରିବାର

mahabharatanews

ସାମାନ୍ୟ ବଚସାରୁ ଯୁବକଙ୍କୁ ଗଳାକାଟି ହତ୍ୟା

mahabharatanews