ଓଡିଶା

କାହା ସ୍ୱାର୍ଥରେ ଆଡମ୍ବରପୂର୍ଣ୍ଣ ଉଦଘାଟନୀ?

ଭୁବନେଶ୍ୱର/ଶିଳାସ୍ମିତା ରାୟ: ସୁନ୍ଦରଗଡର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସୁନ୍ଦରଗଡରେ ୫୦୦୦ କୋଟି ଟଙ୍କାରେ ଏକାଧିକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଉଦଘାଟନୀ ଉତ୍ସବ ପାଇଁ ସୁନ୍ଦରଗଡ ଜିଲ୍ଲା ଫୁଲ, ତୋରଣ, ଏଲଇଡିରେ ଝଟକୁ ଥିଲା । ଏକ ସରକାରୀ କାର୍ଯ୍ୟକ୍ରମ ପାଇଁ ୧୭ ମନ୍ତ୍ରୀ ଓ ପ୍ରାୟ ସମସ୍ତ ବିଧାୟକ ସୁନ୍ଦରଗଡରେ ଡେରା ପକାଇଲେ । ବ୍ଲକ ବାରି ଦଳୀୟ ବିଧାୟକ ଓ ମନ୍ତ୍ରୀ ଲୋକଙ୍କୁ ରୁଣ୍ଡ କରିବା ଓ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖାଇବା ଦାୟିତ୍ୱରେ ନିୟୋଜିତ ଥିଲେ । ୫୦୦୦ କୋଟି ଟଙ୍କା ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହେଲା ପ୍ରାୟ ୨୦କୋଟିରୁ ଊଦ୍ଧ୍ୱର୍ ଅର୍ଥ । ତେବେ ଏତେ ଚାକଚକ୍ୟରେ ପ୍ରକଳ୍ପ ଉଦଘାଟନ ପଛର କାରଣ କଣ? କାହିଁ ଚଳିତ ପାଳିରେ ସରକାର ପ୍ରକଳ୍ପ ଉଦଘାନକୁ ବିଶ୍ୱସ୍ତରୀୟ କରୁଛନ୍ତି? ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ କାହା ପାଣ୍ଠିରୁ ଖର୍ଚ୍ଚ ହେଉଛି?


ଦୀର୍ଘ ୧୦ ମାସ କାଳ ମୁଖ୍ୟମନ୍ତ୍ରୀ ଏକାନ୍ତ ବାସରୁ ବାହାରିବା ପରେ ଆରମ୍ଭ କରିଛନ୍ତି ପ୍ରକଳ୍ପ ରାଜନୀତି । ଗୋଟିଏ ପରେ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଚାଲିଛନ୍ତି । ଏଥିନେଇ ଭବ୍ୟ ଆୟୋଜନ ହେଉଛି । ଜାନୁଆରୀ ୧୪ରେ କଳାହାଣ୍ଡିରେ ଇନ୍ଦ୍ରାବତୀ ମେଗା ଜଳ ସେଚନ ପ୍ରକଳ୍ପର ଉଦ୍ଘାଟନ କଲେ । ଏହି ପ୍ରକଳ୍ପ ପାଇଁ ୭୫୬ କୋଟି ଖର୍ଚ୍ଚରେ ୮୭ଟି ଗାଁକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହି କାର୍ଯ୍ୟକ୍ରମ ମଧ୍ୟ ଥିଲା ବିଶ୍ୱସ୍ତରୀୟ । ଅବଶ୍ୟ ବିକାଶ ପାଇଁ ପ୍ରକଳ୍ପର ଆବଶ୍ୟକତା ରହିଛି, ଏହାକୁ ସ୍ୱାଗତ କରାଯାଉଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଯେପରି ଭାବେ ଦଳୀୟ କାର୍ଯ୍ୟକ୍ରମର ରୂପ ଦିଆଯାଉଛି ଓ ସମସ୍ତ ନେତା ମନ୍ତ୍ରୀଙ୍କୁ ଏକତ୍ରିତ କରାଯାଉଛି ତାହା ସଚେତନ ନାଗରିକଙ୍କୁ ଚକିତ କରୁଛି ।


ଗୋଟିଏ ପଟେ ବେଦାନ୍ତର ପାଉଁଶରେ ପୋତି ହୋଇଗଲାଣି ସୁନ୍ଦରଗଡ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଛତ୍ରଛାୟାତଳେ ବେଦାନ୍ତ ମନମୁଖୀ ଚଳାଇଛି । ପାଉଁଶରେ ବେଦାନ୍ତ ଚତୁପାଶ୍ୱର୍ ଅଞ୍ଚଳର ଜମି ଉର୍ବରତା ହରାଇ ପଡିଆ ପଡିଲାଣି । ଲୋକେ କଳକାରଖାନା ଧୂଆଁରେ ଅତିଷ୍ଠ । ଅନ୍ୟପଟେ ସୁନ୍ଦରଗଡ ବିକାଶ ପାଇଁ କାନ୍ଦୁଛନ୍ତି ସରକାର । ପ୍ରକଳ୍ପର ପାହାଡ ଭିତରେ    ରାଜ୍ୟ ଦେଶରେ ସବୁଠାରୁ ଦୁଃଖୀ ରାଜ୍ୟ ବା ସୁଖୀ ରାଜ୍ୟ ତାଲିକାର ଶେଷରେ ରହିଛି । ରାଜ୍ୟର ୩୨ ପ୍ରତିଶତ ଲୋକ ଦାରିଦ୍ର ସୀମା ରେଖା ତଳେ ରହିଛନ୍ତି । ସ୍ୱାସ୍ଥ୍ୟ ସେବା ପରି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଅଧିକାଂଶ କ୍ଷେତ୍ରର ବାସିନ୍ଦା । କିନ୍ତୁ ସରକାର ମଲଟି ସ୍ପେସାଲିଟି ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି ହଜାର ହଜାର କୋଟି ଟଙ୍କା ବିନିମୟରେ । ରାଜ୍ୟରେ ଆବଶ୍ୟକ ହେଉଥିବା ଡାକ୍ତର ପଦବୀର ୮୦ ପ୍ରତିଶତରୁ ଅଧିକ ପଦବୀ ଖାଲି ପଡିଛି । ଲୋକେ ନାନା ଅଜଣା ରୋଗରେ ବର୍ଷର ପ୍ରାୟ ସମୟରେ ପୀଡିତ ହେଉଥିଲେ ବି ସରକାର ଏସବୁ ସମ୍ପର୍କରେ ଜାଣନ୍ତି ନାହିଁ । ଘଟଣାକୁ ନେଇ ଗଣମାଧ୍ୟମରେ ପ୍ରସାରଣ କରିବା ପରେ ଡାକ୍ତରୀ ଦଳ ଗାଁକୁ ଯାଆନ୍ତି । ଅପହଞ୍ଚ ଇଲାକାର ବାସିନ୍ଦାଙ୍କ ପାଇଁ ମଲଟି ସ୍ପେସାଲିଟି ହସ୍ପିଟାଲଠାରୁ ଅଧିକ ଜରୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଅବଶ୍ୟ ରାଜ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନ ରହିଛି । ହେଲେ ପ୍ରାୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପଡିଛି । ଯେଉଁଠି ଖୋଲୁଛି ସେସବୁ ମଧ୍ୟରୁ କିଛିରେ ଜଣେ ଡାକ୍ତର ସବୁ ରୋଗୀଙ୍କୁ ଦେଖୁଥିବା ବେଳେ କେତେକ ସ୍ଥାନରେ ଡାକ୍ତର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉ ନାହାନ୍ତି ।


ଏସବୁ ସତ୍ତେ୍ୱ ସରକାର କେବଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରି ସାରା ଦେଶ ପାଇଁ ଉଦାହରଣ ହେଉଛନ୍ତି । ରାଜ୍ୟର ସୀମାନ୍ତବର୍ତ୍ତୀ ପାହାଡ ପର୍ବତ ଓ ଜଙ୍ଗଲ ଘେରା ଜିଲ୍ଲାରେ ଲୋକଙ୍କ ପାଇଁ ଖଣ୍ଡେ ମାଟି ରାସ୍ତା ମଧ୍ୟ ସ୍ୱପ୍ନ । ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବାକୁ ହେଲେ ସେମାନଙ୍କୁ ରାତି ଅଧରେ ଘଞ୍ଚ ଜଙ୍ଗଲ, ପାହାଡ, ପର୍ବତ ପାର ହୋଇ ଆସିବାକୁ ହୋଇଥାଏ । ରୋଗୀକୁ ଖଟିଆ, ଭାର ଆଦିରେ ବୋହିବାକୁ ହୋଇଥାଏ । ଏହାରି ମଧ୍ୟରେ ଅନେକ ଜୀବନ ମଝି ରାସ୍ତାରେ ଯନ୍ତ୍ରଣାରେ ଚାଲିଯାଏ । ପାନୀୟ ଜଳ କହିଲେ ଏମାନଙ୍କ ନିକଟରେ ଅଛି ନଦୀ, ନାଳ । ଖରାଦିନେ ଏସବୁ ଉତ୍ସ ମଧ୍ୟ କାମ ଦିଏ ନାହିଁ । ତେଣୁ ଜଳ ପାଇଁ ମାଇଲ ମାଇଲ ପାଦ ଚାଲି ଚୁଆରୁ ଜଳ ସଂଗ୍ରହ କରନ୍ତି । ଆଉ ଏହି ସବୁ ଉତ୍ସର ଜଳ ପାନ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି । ଏସବୁ ସତ୍ତେ୍ୱ ଆମ ମୁଖ୍ୟମନ୍ତ୍ରୀ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।


ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଯେଉଁ ଜିଲ୍ଲାରେ ବିଜେଡିର ସ୍ଥିତି ଦୁର୍ବଳ ରହିଛି ସେଠାରେ ପ୍ରକଳ୍ପ ନାମରେ ଲଣ୍ଠନ ଦେଖା ଯାଉଛି । ପ୍ରକଳ୍ପର ଉଦଘାଟନ କରାଯାଉଥିବା ଜିଲ୍ଲାର ସମସ୍ତ ବ୍ଲକ, ପଞ୍ଚାୟତର ବିଜେଡି କର୍ମକର୍ତ୍ତା କାର୍ଯ୍ୟକ୍ରମର ସିଧାପ୍ରସାରଣ ଲୋକଙ୍କୁ ଦେଖାଇବା କାମରେ ଲାଗି ପଡିଛନ୍ତି । ଆଉ ମନ୍ତ୍ରୀମାନେ ନିଜ ବିଭାଗର କାର୍ଯ୍ୟରେ ଅଂଶଗ୍ରହଣ କରିପାରୁ ନ ଥିବା ବେଳେ ଏହି ଉଦଘାଟନୀ କାର୍ଯ୍ୟକ୍ରମରର ପ୍ରସାରଣ ଓ ସାଫଲ୍ୟ ମଣ୍ଡିତ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଗୌରବାନ୍ୱିତ ମନେ କରୁଛନ୍ତି । ଏହି ସବୁ ଉତ୍ସବ ପାଇଁ ରାଜ୍ୟ ରାଜକୋଷରୁ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ସେହି ଅର୍ଥକୁ ସେହି ଆଦିବାସୀ ଅଧ୍ୟୁଷିତ ନିକାଞ୍ଚ ଇଲାକାରେ ପାଦ ଚଲା ରାସ୍ତା ଖଣ୍ଡେ ପାଇଁ ବିନିଯୋଗ ଯଦି କରାଯାଇପାରୁଥାନ୍ତା ତେବେ ଆଜି ଏହି ଆଡମ୍ବରର ଆବଶ୍ୟକତା ନ ଥାନ୍ତା ।  କିନ୍ତୁ ୨୧ ବର୍ଷର ସରକାର ରାଜ୍ୟବାସୀଙ୍କୁ ଅଭାବ ଅସୁବିଧାରେ ରଖି ପ୍ରକଳ୍ପର ଲଣ୍ଠନ ଦେଖାଇ ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ପରି ମନେ ହେଉଛି । ତେବେ  ଯେମିତି କୋଟିଆ ବାସୀଙ୍କୁ ରାଜ୍ୟ ସରକାରଙ୍କ ପ୍ରକଳ୍ପ ଆନ୍ଧ୍ର ଆଡୁ ମୁହଁ ଫେରାଇବାରୁ ବିଫଳ ହୋଇଛି ସେମିତି ହୁଏତ ଆଗାମୀ ଦିନରେ ସରକାରଙ୍କ ପ୍ରକଳ୍ପର ଲଣ୍ଠନ ମଧ୍ୟ ଲୋକଙ୍କୁ ବିଜେଡି ମୁହଁ କରାଇ ପାରିବ ନାହିଁ ବୋଲି କୁହାଯାଉଛି ।

 

Distance jusqu’au magasin : Géolocaliser. Comment nous trouver. best online casino Tour Oxygene, 17 rue du Docteur Bouchut.

Related posts

ପୂର୍ବତଟ ରେଳବାଇର ଟିଟିଆଇଙଙ୍କୁ କରୋନା

mahabharatanews

ଜାରି ରହିଛି ମହା ପ୍ରଭୁଙ୍କ ରଥ ନିର୍ମାଣ, ସରିଲା ତିନି ରଥର ତୁମ୍ବ, ବିନ୍ଧ ଓ ଗୁଜ

mahabharatanews

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ: ସରକାରକୁ ବଦନାମ କରିବାକୁ କୃତିମ ଅଭାବ ସୃଷ୍ଟି

mahabharatanews