ଭୁବନେଶ୍ବର/ଶିଳାସ୍ମିତା: ଗତକାଲି ଭୁବନେଶ୍ବର ଏୟାରପୋର୍ଟ ନିକଟ କାରଗିଲ ବସ୍ତୀରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଥିଲେ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଘରୋଇ କଳିକୁ ନେଇ ଏହି ହତ୍ୟା ହୋଇଛି । ମୃତ ମହିଳା ମୃତ୍ୟୁ ବେଳକୁ ଗର୍ଭବତୀ ଥିଲେ ଓ ସେମାନଙ୍କ ବିବାହ ଫେବୃଆରୀ ମ।।ସରେ ହୋଇଥିଲା ।
କାରଗିଲ ବସ୍ତୀରେ ରହୁଥିବା ମୁରଲିଧର ବେହେରା ରାଜମିସ୍ତ୍ରୀ ଭାବେ କାମ କରେ । ଗତ ଫେବୃଆରୀ ମାସରେ ସେ ଶକୁନ୍ତଳା ମାଝୀଙ୍କୁ ବିବାହ କରିଥିଲା । ଗତକାଲି କାମରୁ ଫେରିବା ପରେ ମୁରଲି ଓ ଶକୁନ୍ତଳାଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇପଡିଥିଲା ମୁରଲି ଓ ଏକ ହାତୁଡା ଆଣି ଶକୁନ୍ତଳାଙ୍କୁ ପିଟିଥିଲା । ମୁରଲି ତାର ହିତାହିତ ଜ୍ଞାନ ଭୁଲିଯାଇଥିଲା । ପିଟୁପିଟୁ ଶକୁନ୍ତଳାଙ୍କ ମୃତ୍ୟୁ ହୋଇ ଯାଇଥିଲା । ମୃତ୍ୟୁବେଳକୁ ଶକୁନ୍ତଳା ଗର୍ଭବତୀ ଥିଲେ । ଏହି ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁରଲିକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ହାତୁଡାକୁ ଜବତ କରିଥିଲା ।