ଭୁବନେଶ୍ବର : ଓଡ଼ିଶା ମହିଳା ଲିଗ୍ (ଓଡବ୍ଲ୍ୟୁଏଲ୍) ଫୁଟ୍ବଲ୍ ପ୍ରତିଯୋଗିତା ରବିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି। ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ଫୁଟବଲ ଲିଗ ଅନୁଷ୍ଠିତ ହେଉଛି । ଉଦ୍ଘାଟନୀ ମୁକାବିଲାରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଓ ଓଡିଶା ପୁଲିସ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କ୍ରୀଡା ଛାତ୍ରାବାସ ଓଡ଼ିଶା ପୁଲିସକୁ ୬ -୧ ଗୋଲ୍ରେ ପରାସ୍ତ କରିଛି। ମ୍ୟାଚ୍ର ଦ୍ବାଦଶ ମିନିଟ୍ରେ ମାଳତୀ ମୁଣ୍ଡାଙ୍କ ଗୋଲ୍ରେ କ୍ରୀଡ଼ା ଛାତ୍ରାବାସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୨୩ତମ ମିନିଟ୍ରେ ମନୀଷା ନାଏକ ଦଳ ପାଇଁ ଦ୍ବିତୀୟ ଗୋଲ୍ କରିଥିଲେ। ୨୯ ମିନିଟ୍ରେ ମାଳତୀ ଆଉ ଏକ ଗୋଲ୍ ଦେଇ ପ୍ରଥମାର୍ଧରେ ଦଳକୁ ୩-୦ରେ ଆଗୁଆ କରିଥିଲେ। ଦ୍ବିତୀୟାର୍ଧରେ ଓଡ଼ିଶା ପୁଲିସ ପକ୍ଷରୁ ସୋନାଲି ଓରାମ (୫୩ ମିନିଟ୍) ଗୋଟିଏ ଗୋଲ୍ ଶୁଝିଥିଲେ। ଏହାପରେ ମନୀଷା (୫୮, ୭୭ ମିନିଟ୍) ଦୁଇଟି ଏବଂ ମାଳତୀ (୬୮ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିବା ସହ ସଫଳତା ଅର୍ଜନ କରିଥିଲେ। ପ୍ରଥମ ମ୍ୟାଚରେ ଓଡିଶା ଛାତ୍ରାବାସର ସଫଳତାକୁ ନେଇ କୋଚ ମମତା ସାମନ୍ତ ଖୁସି ବ୍ୟକ୍ତ କରିଛନ୍ତି । ଛାତ୍ରାବାସର ଖେଳାଳିମାନେ ବିଜୟ ପରେ କୋଚଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । କୋଭିଡ ପରବର୍ତ୍ତୀ ସମୟରେ ଟିମକୁ ସୁଦୃଢ କରିବାକୁ କୋଚ ମମତା ନିରବଚ୍ଛିନ୍ନ ଭାବେ କୋଚିଂ ଦେଇ ଆସୁଥିବା ଖେଳାଳି ତଥା ଛାତ୍ରାବାସ କର୍ମକର୍ତ୍ତା କୁହନ୍ତି ।
ମ୍ୟାଚ୍ ଆରମ୍ଭ ପୂର୍ବରୁ ଫାଓ ସଭାପତି ଆଶୀର୍ବାଦ ବେହେରା ଏବଂ କ୍ରୀଡ଼ା ନିର୍ଦେଶକ ଭିନିଲ କ୍ରିଷ୍ଣ ଅତିଥି ଭାବେ ଉପସ୍ଥିତ ରହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
