ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗ । ମହାପାତ୍ରଙ୍କ ବିୟୋଗ ଓଡିଶା ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତକରିଛନ୍ତି। ସ୍ୱର୍ଗତ ମହାପାତ୍ର ଭାତୀୟ ସଂଗୀତ ଜଗତର ଅମଳିନ ପ୍ରତିଭା ଭାବେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିବା ସହ ରାଜ୍ୟ ଏକ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଏଥିସହ ତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯାଦା ସହ ଶେଷ କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି।
୮୨ ବର୍ଷ ବୟସରେ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ନିମୋନିଆରେ ପୀଡିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି ।ସ୍ୱର୍ଗତ ମହାପାତ୍ରଙ୍କ ସ୍ୱତନ୍ତ୍ର ସଙ୍ଗୀତ ସଂଯୋଜନା ଶୈଳୀ ତାଙ୍କୁ ସଂଗୀତ କ୍ଷେତ୍ରରେ ଏକ ନିଆରା ପରିଚୟ ଆଣି ଦେଇଥିଲା । ତାଙ୍କ ନିର୍ଦ୍ଦେଶିତ ଚିଲିକା ତୀରେ, ଅଗ୍ନିପରୀକ୍ଷା , ମେଘମୁକ୍ତି ସୂର୍ଯ୍ୟମୁଖୀ, ଅରୁନ୍ଧତି, ଡୋରା ଭଳି ସୁପର ହିଟ ଓଡ଼ିଆ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଛନ୍ତି ଶାନ୍ତନୁ । ସେଥିରେ ୫୩ଟି ଫିଚର୍ ଓ ଟେଲି ଫିଲ୍ମ, ୧୦ ଯାତ୍ରା, ୬୦ ଆକାଶବାଣୀ ନାଟକ, ୧୦ ନୃତ୍ୟନାଟିକା ରହିଛି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା’, ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଏଇ ଜୀବନଟା ଏକ ନାଟକ’, ‘ଆଗୋ ଚନ୍ଦ୍ରିକା’ ଓ ‘ନୂପୂର ବଜାଏ କିଏ’ ଆଦି ଅନ୍ୟତମ ।ଆଦି ଚଳଚ୍ଚିତ୍ରର ସଂଗୀତ ଲୋକଙ୍କ ଦ୍ୱାରା ଆଦୃତ ହେବା ସହହ ତାଙ୍କ ଚୀରସ୍ମରଣୀୟ କରି ରଖିବ।