(ଭୁବନେଶ୍ୱର) : ସ୍ବାଭାବିକ ତାରିଖ ୧୭ ସେପ୍ଟେମ୍ବର ବଦଳରେ ଆଜି ୨୫ ସେପ୍ଟେମ୍ବରରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରୁ ସାଧାରଣତଃ ୧୫ ଅକ୍ଟୋବରରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଥାଏ। ତେବେ ୮ ଦିନ ବିଳମ୍ବରେ ଦେଶରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା କାରଣରୁ ଓଡ଼ିଶାରୁ ମଧ୍ୟ ବିଳମ୍ବରେ ମୌସୁମୀ ଫେରିପାରେ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ସୂଚନାନୁଯାୟୀ , ଆଜି କିଛି ସ୍ଥାନରେ ବର୍ଷା ହୋଇପାରେ। ଏହାପରେ ରାଜ୍ୟର ପାଗ ଶୁଖିଲା ରହିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିପାରେ।