ଓଡିଶା

ଶିବଲିଙ୍ଗ ନା ଫବୱାରା

ବାରାଣାସୀ (ଏଜେନ୍ସି): ଜ୍ଞାନବାପୀ ମସଜିଦ ପରିସରରେ ଦେଖା ଦେଇଥିବା ଶିବଲିଙ୍ଗକୁ ନେଇ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମୁହାଁମୁହିଁ ହୋଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଦୃଶ୍ୟକୁ ନେଇ ହିନ୍ଦୁ ଏହାକୁ ଶିବଲିଙ୍ଗ କହୁଥିବାବେଳେ ମୁସଲମାନ ସଂପ୍ରଦାୟ ଏହାକୁ ଫବୱାରା ବା ଏକ ମୂଲ୍ୟବାନ ପଥର, ଯାହା ମଣିଷ ପାଇଁ ଶୁଭଦାୟକ ବୋଲି କହୁଛନ୍ତି । ବାରାଣାସୀର ସିନିଅର ଡିଭିଜନ ସିଭିଲ ଜଜ୍ ରବି କୁମାର ଦିୱାକରଙ୍କ ଅଦାଲତରେ ହିନ୍ଦୁ ମାନଙ୍କ ପକ୍ଷରୁ ଆଗତ ହୋଇଥିବା ଏକ ମାମଲା ଉପରେ ଶୁଣାଣି କରି ସେହି ସ୍ଥାନକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ସୁରକ୍ଷା ପାଇଁ ପୋଲିସ କମିଶନର, ଡିଏମ୍, ସିଆରପିଏଫ କମାଣ୍ଡାଣ୍ଟଙ୍କୁ ଆଦେଶ ଦେଇଛନ୍ତି ।

ହିନ୍ଦୁ ମାନଙ୍କ ପକ୍ଷରୁ ଅଧିବକ୍ତା ହରିଶଙ୍କର ଜୈନ କହିଛନ୍ତି ଯେ, ପରିସରରୁ ମିଳିଥିବା ବସ୍ତୁ ଶିବଲିଙ୍ଗ ଅଟେ । ଏହାର ସୁରକ୍ଷା ପାଇଁ ଆମେ କୋର୍ଟରେ ଅପିଲ କରିଥିଲୁ । କୋର୍ଟ ଆମର ଅନୁରୋଧ ରକ୍ଷା କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ, ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟି ପକ୍ଷରୁ ଅଧିବକ୍ତା ମହମ୍ମଦ ତୌହିଦ ଖାନ୍ କୋର୍ଟଙ୍କ ଏକତରଫା ଶୁଣାଣି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମସଜିଦ ପରିସରରୁ ମିଳିଥିବା ବସ୍ତୁ ଶିବଲିଙ୍ଗ ନୁହେଁ ଏହା ଫବୱାରା ବୋଲି ସେ କହିଛନ୍ତି । ଆମ ପକ୍ଷରୁ କୋଣସି ଅପିଲର ଶୁଣାଣି ନକରି ଏକତରଫା ଭାବେ କୋର୍ଟ ଦେଇଥିବା ଆଦେଶ ଉପରେ ଆମେ ସନ୍ତୁଷ୍ଟ ନୋହୁଁ ବୋଲି ତୌହିଦ ଖାନ୍ ପ୍ରକାଶ କରିଛନ୍ତି ।
ହିନ୍ଦୁ ପକ୍ଷଙ୍କ ଅପିଲ ଖାରଜ ହେବ! ବାରାଣାସୀସ୍ଥିତ ଜ୍ଞାନବାପୀ ମସଜିଦ୍ ପରିସର ଯାଞ୍ଚକୁ ନେଇ ହିନ୍ଦୁ ସଂପ୍ରଦାୟର ଅପିଲ୍ ଖାରଜ ହେବା ନେଇ ବହୁତ ସମ୍ଭାବନା ରହିଛି । ଅଞ୍ଜୁମନ ଇନ୍ତେଜାମିଆ ମସଜିଦ୍ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଅପିଲ ଅନୁସାରେ, ବାରାଣାସୀ ସିଭିଲ କୋର୍ଟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଉପାସନା ସ୍ଥଳ ‘ ଦ ପ୍ଲେସ ଅଫ୍ ଓରସିପ୍ ଆକ୍ଟ ୧୯୯୧’କୁ ସମ୍ପୂର୍ଣ୍ଣ ଉଲ୍ଲଘନ କରୁଛି ବୋଲି କୁହାଯ।।ଇଛି । ୧୯୪୭ ଅଗଷ୍ଟ ୧୫ରେ ପ୍ରଣୟନ ହୋଇଥିବା ଆକ୍ଟ ଅନୁସାରେ, ଯେଉଁ ଧାର୍ମିକ ଭାବନା ନେଇ ଉପାସନା ସ୍ଥଳ ନିର୍ମିତ ହୋଇଛି, ତାକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ସ୍ୱାଧୀନତା ସମୟରେ ଯେଉଁ ମସଜିଦ୍ ରହିଥିଲା, ତାକୁ ପରିବର୍ତ୍ତନ କରି କୌଣସି ମନ୍ଦିର, ଚର୍ଚ୍ଚ ବା ଗୁରୁଦ୍ୱାରରେ ପରିଣତ କରାଯାଇପାରିବ ନାହିଁ ।

ଏପରି ଏକ ନିୟମ ୧୯୯୧ ଜୁଲାଇ ୧୧ ତାରିଖରେ ଲାଗୁ କରାଯାଇଥିଲା । ଯେଉଁ ନିମୟରେ ୮ଟି ସେକ୍ସନ ରହିଛି, ସେଥିମଧ୍ୟରୁ ୪ଟି ନିୟମ ବେଶ ଗୁରୁତ୍ୱପୂର୍ଣ୍ଣ । ସେହି ଦୃଷ୍ଟିକୋଣରୁ କୋର୍ଟରେ ହୋଇଥିବା ହିନ୍ଦୁମାନଙ୍କ ଅପିଲ ଖାରଜ ହୋଇପାରେ ବୋଲି ମସଜିଦ କମିଟି ପକ୍ଷରୁ କୁହାଯାଇଛି ।କୋର୍ଟରେ ୩ ଅପିଲ ,ସର୍ଭେ ରିପୋର୍ଟ ଦାଖଲ କରିବାକୁ ସମୟ ଦିଆଯାଉ । ବାରାଣାସୀ ସିଭିଲ ଜଜ୍ ସିନିଅର ଡିଭିଜନ ରବି କୁମାର ଦିୱାକରଙ୍କ ଅଦାଲତରେ ଜ୍ଞାନବାପୀ ମସଜିଦ ପରିସରର ସର୍ଭେ ରିପୋର୍ଟ ପହଞ୍ଚି ପାରିଲା ନାହିଁ । ପ୍ରାୟ ୧୫ଘଣ୍ଟାର ଭିଡିଓଗ୍ରାଫି ଏବଂ ୧୫ଶହ ଫଟୋ ସମ୍ବଳିତ ଏହି ଡାଟା ଏତେ ବହୁତ ଯେ, ତାକୁ ଫାଇଲ କରିବା ପାଇଁ ସମୟର ଆବଶ୍ୟକତା ରହିଛି । ତେଣୁ ଆମକୁ ଅଧିକ ଦୁଇ ଦିନ ସମୟ ଦିଆଯାଉ ବୋଲି ସ୍ୱତନ୍ତ୍ର ଆଡଭୋକେଟ କମିଶନର ବିଶାଲ ସିଂହ କୋର୍ଟରେ ଅପିଲ କରିଛନ୍ତି ।

ତେବେ ଏନେଇ ସୋମବାର ୪ଟା ବେଳେ ଫଇସଲା ଶୁଣାଯିବ ବୋଲି ଆଶା କରାଯାଉଛି । ଏହି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବାରାଣାସୀ କୋର୍ଟରେ ଦ୍ୱିତୀୟ ଅପିଲ କରାଯାଇଛି । ସିଭିଲ ଜଜ୍ କୋର୍ଟରେ ଡିଜିସି ସିଭିଲ ପକ୍ଷରୁ ମହେନ୍ଦ୍ର ପ୍ରସାଦ ପାଣ୍ଡେ ଅପିଲ କରି କହିଛନ୍ତି ଯେ, ମସଜିଦ ପରିସରରେ ୩ ଫୁଟ ଗଭୀର ପୋଖରୀ ଖୋଳାଯାଇ ପାଇପ ଦ୍ୱାରା ପାଣି ବ୍ୟବହାର କରାଯାଉଛି । ନମାଜ ପଢ଼ିବା ପୂର୍ବରୁ ଯେଉଁ ପାଣିରେ ଭକ୍ତମାନେ ହସ୍ତପାଦ ପ୍ରକ୍ଷାଳନ କରିଥାନ୍ତି । ତେଣୁ ତାକୁ ସିଲ୍ କରାଯାଇ ନମାଜ ପାଇଁ ସ୍ୱତନ୍ତ ବ୍ୟବସ୍ଥା କରାଯାଉ । ସେଠରେ ନିର୍ମିତ ଶୌଚାଳୟକୁ ବନ୍ଦ କରାଯାଇ ଅନ୍ୟତ୍ର ବ୍ୟବସ୍ଥା ହେଉ । ଶେଷରେ ସେହି ପୋଖରୀ ଥିବା ମାଛମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସେମାନଙ୍କୁ ଖାଦ୍ୟ ଯୋଗାଣ ହେଉ ବୋଲି କୁହାଯାଇଛି ।ଜ୍ଞାନବାପୀ ପରିସର ପୁଣି ଥରେ ଯାଞ୍ଚ କରାଯାଉ ବୋଲି ହିନ୍ଦୁ ସଂଗଠନ ପକ୍ଷରୁ ଅପିଲ କରାଯାଇଛି । ପରିସରରେ ରହିଥିବା କିଛି ପ୍ରାଚୀରକୁ ଭାଙ୍ଗି ଏହାର ସର୍ଭେ କରାଯାଉ ବୋଲି ସଂଗଠନ ପକ୍ଷରୁ ରେଖା ପାଠକ, ମଞ୍ଜୁ ବ୍ୟାସ ଏବଂ ସୀତା ସାହୁ ପ୍ରମୁଖ ଅପିଲରେ ପ୍ରାର୍ଥନା କରିଛନ୍ତି ।

Related posts

ମୋଟର ଯାନ ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ର ଉଦଘାଟିତ

mahabharatanews

ମାଗଣା ଚକ୍ଷୁ ପରୀକ୍ଷା ଶିବିର

mahabharatanews

ଆହୁରି ବଢିବ ତାତି : ତାପମାତ୍ରା ୪୨ ଡିଗ୍ରୀ ପାର

mahabharatanews