ଭୁବନେଶ୍ୱର/ଶିଳାସ୍ମିତା ରାୟ: ଓଡିଶା ଏକ ଗରିବ ରାଜ୍ୟ । ଦାଦନ, କେବିକେର ଅନାହର ମୃତ୍ୟୁ, ନଗଡା ଶିଶୁ ଅପପୃଷ୍ଟିକୁ ନେଇ ସାରା ଦେଶ ତଥା ବିଦେଶରେ ଓଡିଶା ଗରିବ ରାଜ୍ୟ ଭାବେ ପରିଚିତ । କିନ୍ତୁ ଏହାକୁ ଗତକାଲି ଭିଜିଲାନ୍ସ ଚଢାଉର ରିପୋର୍ଟ ବଦଳାଇ ଦେବ ନିଶ୍ଚିତ । ରାଜ୍ୟରେ ଆଡିସିନାଲ ପିସିସିଏଫ୍ ଭାବେ ଅଭୟକାନ୍ତ ପାଠକ ନିୟୋଜିତ । କିନ୍ତୁ କୁବେରଠୁ ବଳି ତାଙ୍କ ସମ୍ପତ୍ତି । ଅଧିକାରୀଙ୍କ ସମ୍ପତ୍ତି ଦେଖି ବିଶ୍ୱର ଦୃଷ୍ଟିଭଙ୍ଗୀ ବଦଳିଯିବ ନିଶ୍ଚିତ ବୋଲି ଆଶା ।
ଏଯାବତ୍ ରାଜ୍ୟରେ ଯେତେ ଭିଜିଲାନ୍ସ ଚଢଉ ହୋଇଛି, ଏହି ବାବୁଙ୍କ ସମ୍ପତ୍ତି ତାଲିକା ଶୀର୍ଷରେ ରହିବ । ଏପରି କୁବେର ବାବୁ ପୂର୍ବରୁ କେବେ ଧରାପଡି ନାହାନ୍ତି । ଗତକାଲିଠାରୁ ଆଜି ମଧ୍ୟରେ ବାବୁଙ୍କ ଅମାପ ସମ୍ପତ୍ତିର ଗୁମର ଖୋଲୁଛି । ବାବୁଙ୍କର ଭୁବନେଶ୍ୱରରେ ୫ଟି ଘର ରହିଥିବା ବେଳେ ରାଜସ୍ଥାନ, ବିହାର, ମହାରାଷ୍ଟ୍ରରେ ରହିଛି ୮ଟି ବିଳାପୂର୍ଣ୍ଣ ଘର । ବାବୁଙ୍କର ରାଜକୀୟ ଚଳଣି । ବାବୁ ଗଜଦନ୍ତ ପଲଙ୍କରେ ଶୁଅନ୍ତି । ବାବୁ ବିମାନ ଭିନ୍ନ ଅନ୍ୟ ଯାନରେ ଷ୍ଟେସନ ବାହାରକୁ ଯାଆନ୍ତି ନାହିଁ । କରୋନା କାଳରେ ବିମାନ ଚଳାଚୟ ବନ୍ଦ ହେବା ପରେ ମଧ୍ୟ ବାବୁଙ୍କ ବିମାନଯାତ୍ରା ବନ୍ଦ ହୋଇନି । ଚାଟାର୍ଡ ବିମାନରେ ସେ ୨୦ରୁ ଅଧିକ ଥର ରାଜସ୍ଥାନ, ପୁନେ, ବିହାର ଆଦି ସ୍ଥାନକୁ ଯାତ୍ରା କରିଛନ୍ତି । ଏଥିରୁ ବାବୁ କେତେ କଳାଧନ ଠୁଳ କରିଛନ୍ତି ତାର ସୁରାକ ମିଳୁଛି ।
ତେବେ ଏଥିରେ ବାବୁଙ୍କର ଦୋଷ ବା କଣ? ଆମ ରାଜ୍ୟରେ କୁଆଡେ ଗଛରେ ଫଳୁଛି ଟଙ୍କା । ଗଛ ଲଗେଇଲେ ଟଙ୍କା, ଗଛ କାଟିଲେ ଟଙ୍କା । ତା ଉପରେ ଗଛ ଲଗାଇ ତାକୁ ମାରି ଦେଲେ ମଧ୍ୟ କୁଆଡେ ମିଳେ ଟଙ୍କା । ଗଛରୁ ପତ୍ର ଝଡିବା ପରି ଆଗ ପଛରେ ଟଙ୍କା ଝଡ ହେଉଥିବା ବେଳେ ସେ ତାକୁ ସାଉଁଟିଲେ ତ ସେଥିରେ ତାଙ୍କର ବା ଭୁଲ କଣ? ତାଙ୍କ ଉପରେ ନଜର ରଖିବାର କାମ ତ ରାଜ୍ୟ ସରକାରରର । ରାଜ୍ୟ ସରକାର ଏଯାବତ୍ କିପରି ଏହି ବାବୁଙ୍କର ଅମାପ ସମ୍ପତ୍ତିର ସୁରାକ ପାଇଲେ ନାହିଁ? କଣ ରାତାରାତି ଏସବୁ ବାବୁ ଠୁଳ କରିଛନ୍ତି? କଣ ଗୋଟିଏ ରାତିରେ ବାବୁ କେଉଁଠୁ ପୋତା ଧନ ହାସଲ କରିିନେଲେ ଯେ ସରକାରଙ୍କ ଆଖି ଜଳକା ହୋଇଗଲା? କାହିଁ ଆଜି ପର୍ଯ୍ୟନ୍ତ ଏହି ବାବୁଙ୍କୁ ନେଇ ସରକାର ନୀରବ ବସିଥିଲେ?
ତେବେ ବୁଦ୍ଧିଜୀବୀ ମହଲରେ ଏହି ଚଢାଉକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି । ସେମାନଙ୍କ ଅନୁଯାୟୀ, ଏହି ଭିଜିଲାନ୍ସ ଚଢାଉ ହୋଇଛି ଜଣେ ଦଳୀୟ ରାଜନେତାଙ୍କୁ କାବୁ କରିବାକୁ । ଗୋପାଳ ପୁର ବିଧାୟକ ବିଜେଡି ଲଗାମରୁ ମୁକୁଳି ବିଜେପିରେ ସାମିଲ ହେବାକୁ କୁଆଡେ ଚଳାଇଛନ୍ତି ପ୍ରୟାସ । ଘନଘନ ବିଜେପି ନେତାଙ୍କ ସହ ଚାଲିଛି ତାଙ୍କ ବାର୍ତ୍ତାଳାପ, ଭେଟଘାଟ, ଯାହାର ସୁରାକ ମିଳିଛି ସୁପ୍ରିମୋଙ୍କୁ । ତେଣୁ ବିଧାୟକଙ୍କ ଚୁଟିକୁ ପୁଣି ହାତ ମୁଠାକୁ ଆଣିବାକୁ ତାଙ୍କ ଝିଅଙ୍କ ମାଧ୍ୟମରେ ଅଭୟଙ୍କ ଉପରେ ଏହି ଭିଜିଲାନ୍ସ ଡ୍ରାମା । ବିଧାୟକଙ୍କ ଝିଅ ସହ ଅଭୟଙ୍କ ପୁଅଙ୍କ ଖୁବ ଶୀଘ୍ର ବିବାହ ହେବାର ଅଛି । ତେଣୁ ସିଧା ସଳଖ ବିଧାୟକଙ୍କୁ ନ ଧରି ବୁଲେଇ ବଙ୍କେଇ ତାଙ୍କ ସମୁଦିଙ୍କୁ ଫସାଯାଇଛି । ବୁଦ୍ଧିଜୀବୀଙ୍କ ଅନୁଯାୟୀ, ବିଧାୟକଙ୍କୁ ଭିଜିଲାନ୍ସ ଧରିଲେ ବିଜେଡିକୁ ବିରୋଧୀ ଘେରିଯିବେ । ପୁଣିି ନାନା ଦୁର୍ନୀତିର ପେଡି ଖୋଲିବ । ତେଣୁ ପ୍ରତ୍ୟକ୍ଷରେ ନ କରି ପରୋକ୍ଷରେ ବିଧାୟକଙ୍କୁ କାବୁ କରିବାକୁ ଏହି ପ୍ରଚେଷ୍ଟା ଚାଲିଥିବା କୁହାଯାଉଛି ।
କାରଣ ଯାହା ହେଉ ନା କହିଁ, ଆମ ରାଜ୍ୟ ଯେ ଗରିବ ନୁହେଁ ଏହା ଅଭୟଙ୍କ ମାଧ୍ୟମରେ ସର୍ବସମ୍ମୁଖକୁ ଆସିଛି । ତେବେ ଖାଲି ଏହି ବାବୁ ଯେ ଅମାପ ସମ୍ପତ୍ତିର ମାଲିକ ଓ ଏହି ଜଣେ ଦୁର୍ନୀତି ଗ୍ରସ୍ତ ତାହା କହିଲେ ସମ୍ପୂର୍ଣ୍ଣ ଭୁଲ କହୁଥିବା ପ୍ରମାଣିତ ହେବ । ଆମ ରାଜ୍ୟର ଜଣେ ଜଣେ ପିଅନ କୋଟି କୋଟି ଟଙ୍କାର ମାଲିକ । ଜଣେ ଜଣେ କିରାଣିଙ୍କର ରହିଛି ଭୁବନେଶ୍ୱରରେ ୩-୪ ଆଲିସାନ ବଙ୍ଗଳା । ସ୍କୁଲ ମାଷ୍ଟର କୁବେର ସମାନ ହୋଇଥିବା ବେଳେ ରାଜ୍ୟରେ କେତେ ଯେ କୁବେର ରହିଛନ୍ତି ତାହା ସହଜରେ ଅନୁମେୟ । ଭୁବନେଶ୍ୱରରେ ଏକାଧିକ ବଙ୍ଗଳା, ଘରେ ନିଜର, ସ୍ତ୍ରୀ, ପିଲା ସମସ୍ତଙ୍କ ପାଇଁ ରହିଛି ଦାମୀ କାର, ଉପହାରରେ ବହୁମୂଲ୍ୟ ସାମଗ୍ରୀ ଭେଟି ଦେଉଛନ୍ତି ଅଧିକାରୀମାନେ । ଏସବୁ କଣ ସରକାରୀ ଦରମାରେ ସମ୍ଭବ? ତେବେ ଆମ ସରକାର କେମିତି ଜାଣି ପାରୁନାହାନ୍ତି କର୍ମଚାରୀ ଟେବୁଲ ତଳୁ କୋଟିକୋଟି ଟଙ୍କା ଠୁଳ କରିବାରେ ବ୍ୟସ୍ତ ।
ବାସ୍ତବତା ହେଉଛି, ସରକାର ସବୁ ଦେଖନ୍ତି, ସବୁ ଜାଣନ୍ତି । କାରଣ ସରକାରୀ ଦଳ ଓ କଳରେ କାର୍ଯ୍ୟରତ ସମସ୍ତେ ଗୋଟିଏ ନାଉର ମଞ୍ଜି । ଆମ ରାଜ୍ୟରେ ସବୁ କାମରେ ହୁଏ ପିସି କାରବାର । ସେହି ଅର୍ଥରେ ନେତା ମନ୍ତ୍ରୀଙ୍କଠୁ ଅଧିକାରୀ, କିରାଣି, ପିଅନ, ଦଲାଲ ସମସ୍ତଙ୍କର ରହିଛି ଭାଗ । କିନ୍ତୁ ଯେତେବେଳେ କୌଣସି ଅଧିକାରୀ ବା ସରକାରୀ ଦଳର ନେତା ମନ୍ତ୍ରୀ ଦଳକୁ ସୁହାଉନଥିବା କାର୍ଯ୍ୟ କରନ୍ତି, ଯେତେବେଳେ ସେମାନଙ୍କୁ ଭିଜିଲାନ୍ସ ମାଧ୍ୟମରେ ରାଜ୍ୟ ସରକାର ନାକରେ ସଣ୍ଡୁଆସି ପୁରାଇ ଲଗାମ ଦେବାକୁ ଚେଷ୍ଟା କରନ୍ତି । ଅଥବା କୌଣସି ଅଧିକାରୀ ବିରୋଧୀଙ୍କ ନୀତି ଆଦର୍ଶକୁ ଆପଣଉ ଥିଲେ ବା ବିରୋଧୀଙ୍କ ପାଖ ଲୋକ ହୋଇଗଲେ ତାଙ୍କୁ ସର୍ବସ୍ୱାନ୍ତ କରିବାକୁ ଭିଜିଲାନ୍ସ ଲଗାଯାଏ । ଭିଜିଲାନ୍ସ ସରକାରର ହାତ ବାରିସି ସାଜିଛି ।