(ମହାଭାରତ, ବ୍ରହ୍ମପୁର): ସରକାରୀ ଅନୁଷ୍ଠାନରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ବ୍ରହ୍ମପୁର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ଯାଜପୁର ଜିଲ୍ଲାର ରବୀନ୍ଦ୍ର କୁମାର ବେହେରା ଓ ଦିଗପହଣ୍ଡିର ଅରୁଣ କୁମାର ବେହେରା ହୋଇଥିବା ବେଳେ ଦୁଇ ଜଣ ଭୁବନେଶ୍ୱରର ଏକ ଅନୁଷ୍ଠାନରେ କାମ କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଭୁବନେଶ୍ୱର ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନରେ ଚାକିରି ଦେବା ନାଁରେ ଅଭିଯୁକ୍ତ ଦ୍ୱୟ ଲୋକଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି । କିଛିଦିନ ତଳେ ଏମାନଙ୍କ ଦ୍ୱାରା ଠକେଇର ଶୀକାର ହୋଇଥିବା ଜଣେ ବ୍ୟକ୍ତି ଥାନାରେ ଏତଲା ଦେବା ପରେ ପୋଲିସ ଖୋଳତାଡ କରି ଉଭୟଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଦ୍ୱୟ କାମ କରୁଥିବା ଅନୁଷ୍ଠାନରେ ଲୋକଙ୍କୁ ଚାକିରି ଦେବା ନାଁରେ ଲୁଟିଛନ୍ତି । ଏପରିକି କିଛି ଲୋକଙ୍କୁ ଜାଲ ନିଯୁକ୍ତି ପତ୍ର ମଧ୍ୟ ଦେଇଛନ୍ତି । ବିଶ୍ୱାସ ସୃଷ୍ଟି କରିବାକୁ କିଛି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨/୩ ମାସ ଧରି ପାଞ୍ଚ ହଜାର ଟଙ୍କା ମଧ୍ୟ ପଠାଇଥିଲେ । ଏହାକୁ ଉକ୍ତ ଅନୁଷ୍ଠାନର ଦରମା ବୋଲି ସେମାନଙ୍କୁ କହିଥିଲେ । ଚାକିରି ଦେବା ଆଳରେ ଜଣ ପିଛା ୩ରୁ ୫ ଲକ୍ଷ ଟଙ୍କା ଲୁଟିଥିବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସ ଅନୁସନ୍ଧାନ ପରେ ଉଭୟଙ୍କ ଗୁମର ଖୋଲି ଯାଇଛି । ସେମାନଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ପାସବୁକ୍ ଓ ଏଟିଏମ କାର୍ଡ ଜବତ ହୋଇଛି । ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ।