ଓଡିଶା

ଟିଭି ଫାଟି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

(ମହାଭାରତ, ରାଉରକେଲା): ସୁନ୍ଦରଗଡ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ସର୍ଟସର୍କିଟ ହୋଇ ହଠାତ ଏକ ଟେଲିଭିଜନ ଫାଟି ଯିବାରୁ ଏଠାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ରବି ନାଏକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ନିଜର ୬ ମାସର ଶିଶୁ କନ୍ୟାକୁ ଧରି ଟିଭି ଦେଖୁଥିଲେ । ଏହି ସମୟରେ ଟେଲିଭିଜନଟି ସର୍ଟସର୍କିଟ ହୋଇ ଫାଟି ଯାଇଥିଲା । ଫଳରେ ପରିବାରର ତିନି ଜଣକ ଯାକ ପୋଡି ହୋଇଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ତାଙ୍କ ଘରକୁ ଧାଇଁ ଆସିଥିଲେ । ସେମାନଙ୍କୁ ଉଦ୍ଧାର କରିବା ସହ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ସେମାନଙ୍କୁ ଆମ୍ବୁଲାନ୍ସରେ ଆଣି ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ସେଠାରେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ମହିଳାଙ୍କ ସ୍ୱାମୀ ଓ ଶିଶୁ କନ୍ୟାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।

Related posts

ଆଇସୋଲେସନକୁ ତଦାରଖ କରିବେ ବିଡିଓ ଓ ତହସିଲଦାର

mahabharatanews

୫୦୮ ଷ୍ଟେସନର ଉନ୍ନତୀକରଣର ; ଓଡ଼ିଶାରୁ ୨୫

mahabharatanews

୯ରେ ମହାପ୍ରଭୁଙ୍କ ବନକଲାଗି ନୀତି 

mahabharatanews