କନ୍ଧମାଳ: ଓଡିଶାର କାଶ୍ମୀର ହେଉଛି ଦାରିଙ୍ଗବାଡୀ । ଏଠାରେ ଶୀତଦିନେ ହୀମପାତ ହୋଇଥାଏ । ତେଣୁ ଶୀତ ଦିନେ ରାଜ୍ୟ ଓ ରାଜ୍ୟ ବାହରୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏଠାରେ ରହିଛି ହିଲଭ୍ୟୁ ପାର୍କ, ବଟର ଫ୍ଲାଇ ପାର୍କ, କଫି ବଗିଚା, ଲଭର୍ସ ପଏଣ୍ଟ, ଏମୁ ପକ୍ଷୀ ଫାର୍ମ ଓ ସୁନ୍ଦର ଜଳ ପ୍ରପାତ । ଏଠାରେ ଥିବା ଜଳପ୍ରପାତଟି ପର୍ଯ୍ୟଟକଙ୍କ ମନକୁ ମୋହିବା ସହିତ ବଣ ଭୋଜି ପାଇଁ ଉପଯୁକ୍ତ ସ୍ଥାନ ଅଟେ । ତେଣୁ ଏଠାରେ ହଜାର ହଜାର ପର୍ଯ୍ୟଟକ ଭୋଜି କରିବାକୁ ସକାଳୁ ଭିଡ ଜମିବାର ଦେଖାଯାଏ । କିନ୍ତୁ ସରକାର ଓ ପ୍ରଶାସନର ଅବହେଳା ହେତୁ ଏଠାକୁ ଯିବା ଆସିବା ପାଇଁ ଭଲ ରାସ୍ତା ଘାଟ, ଗାଡି ପାର୍କିଂ ପାଇଁ ସ୍ଥାନ, ପିଇବା ପାଣିର ଅଭାବ ହେତୁ ପର୍ଯ୍ୟଟକମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇ ଆସୁଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହି ପର୍ଯ୍ୟଟନ ସ୍ଥଳିର ବିକାଶ ହେବା ଦରକାର ବୋଲି ବିଧାୟକ ପ୍ରମୋଦ ମଲିକ ପ୍ରକାଶ କରିବା ସହିତ ବିଧାନ ସଭାରେ ଏହି ବିଷୟକୁ ଉପସ୍ଥାପନ କରିବାକୁ ବିଧାୟକ କହିଛନ୍ତି । ବିଧାୟକଙ୍କ ଏହି ପ୍ରତିଶ୍ରୁତି ପରେ ଏଠାରେ ନିଜର ଜୀବନ ଜୀବିକା ନିର୍ବାହ କରୁଥିବା ଲୋକଙ୍କ ମଧ୍ୟରେ ଏକ ଆଶାର ସଂଚାର ହୋଇଛି । ସେମାନଙ୍କ ଜୀବନଧରଣ ମାନଦଣ୍ଡରେ ଉନ୍ନତି ହେବ ବୋଲି ଆଶା କରାଯାଉଛି । ତେବେ ଦେଖିବାକୁ ଆଛି ଏହା କେବେ ସମ୍ଭବ ହେଉଛି ।
previous post