(ନୂଆଦିଲ୍ଲୀ): ଦିଲ୍ଲୀ ନିର୍ବାଚନ ପୂର୍ବରୁ ନିର୍ଭୟା ଭଳି ସମ୍ବେଦନଶୀଳ ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସଫେଇ ଦେଇଛନ୍ତି । ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ପ୍ରତି ନିର୍ଭୟାଙ୍କ ମା’ ଆଣିଥିବା ଅଭିଯୋଗର ସଫେଇ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୋଷୀଙ୍କ ନ୍ୟାୟ ପ୍ରକ୍ରିୟାରେ ଦିଲ୍ଲୀ ସରକାର ବିଳମ୍ବ କରିନାହାନ୍ତି । ନିର୍ଭୟା ମାମଲାକୁ ନେଇ ଦିଲ୍ଲୀ ସରକାରଙ୍କ ଦ୍ୱାରା ଯାହା ସବୁ କାମ ବାକି ଅଛି ତାହା ମାତ୍ର କିଛି ଘଣ୍ଟା ମଧ୍ୟରେ ଶେଷ କରାଯିବ । ଏଥିରେ କୌଣସି ବିଳମ୍ବ କରାଯିବ ନାହିଁ । କାରଣ ଦୋଷୀକୁ ଶୀଘ୍ର ଫାଶୀ ଦିଆଯାଉ ବୋଲି ଆମେ ଚାହୁଁଛୁ । ସୂଚନାଯୋଗ୍ୟ, ୨୦୧୨ ମସିହାର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ମୁକେଶ ରାଜକ୍ଷମା ଆବେଦନ କରିଥିବା ବେଳେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଖାରଜ କରିଦେଇଛନ୍ତି । ଅନ୍ୟପଟେ ଏହି ମାମଲାର ୪ ଦୋଷୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ହେବାକୁ ଥିବା ବେଳେ ନିୟମ ଅନୁଯାୟୀ ଏହା ବିଳମ୍ବ ହେଉଥିବାରୁ ଏହାକୁ ନେଇ ନିର୍ଭୟାଙ୍କ ମା’ ଆପ୍ ସରକାରଙ୍କୁ ଦାୟୀ କରିଥିଲେ ।
previous post