Uncategorized

ଇଟାଲୀରେ ଦିନକରେ ୪୭୫ ଜଣଙ୍କ ମୃତ୍ୟୁ

(ରୋମ): ମହାମାରୀ କରୋନା ଏବେ ବିଶ୍ୱର ୧୬୭ଟି ଦେଶକୁ ବ୍ୟାପିଛି । ପ୍ରଥମରେ ଚୀନରେ ହଜାର ହଜାର ମୁଣ୍ଡ ନେବା ପରେ ଏବେ ଇଟାଲୀରେ ଏହାର ପ୍ରତିଦିନ ଶହ ଶହ ଜୀବନ ନେଉଛି । ଏହି ଭାଇରସ ସଂକ୍ରମଣ ଯୋଗୁଁ ଗତ ୨୪ ଘଣ୍ଟାରେ ଇଟାଲୀରେ ୪୭୫ ଜୀବନ ଯାଇଛି । ଫଳରେ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୯୭୮ରେ ପହଞ୍ଚି ଯାଇଛି । ଯଦି ଏଭଳି ପ୍ରକ୍ରିୟା ଜାରି ରହେ ତେବେ ଖୁବ ଶୀଘ୍ର ଚୀନର କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ଟପିଯିବ ବୋଲି ଆଶଙ୍କା କରାଯାଉଛି । ଲୋମ୍ବାର୍ଡି ଅଞ୍ଚଳରେ ଏଯାଏ ସର୍ବାଧିକ ୩୧୯ ଜଣଙ୍କର ଗୋଟିଏ ଦିନରେ ମୃତ୍ୟୁ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ୟୁରୋପକୁ ଏବେ କରୋନା ଭାଇରସର ନୂତନ କେନ୍ଦ୍ରସ୍ଥଳୀ ବୋଲି କହିଛି ।

ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ଏଠାରେ ମୃତ୍ୟୁସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଛି । ମୃତ୍ୟୁସଂଖ୍ୟା ଦ୍ରୂତଗତିରେ ବୃଦ୍ଧି ପାଉଥିବାରୁ ଇଟାଲୀ ସରକାର ଘରୁ ବାହାରକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ୨ ସପ୍ତାହ ଧରି ସମଗ୍ର ଦେଶରେ ସବୁ ସେବା ବନ୍ଦ ହୋଇଥିବା ବେଳେ କରୋନା ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି । ଇଟାଲୀ ପରେ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡିକରେ ମଧ୍ୟ କରୋନା ସଂକ୍ରମଣରେ ଶହ ଶହ ଲୋକେ ମୃତ୍ୟୁବରଣ କଲେଣି । ସ୍ପେନରେ ଏବେ ମୃତ୍ୟୁ ସଂଖ୍ୟା ୬୦୦ ଛୁଇଁଥିବା ବେଳେ ଅଢେଇ ହଜାରରୁ ଅଧିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ସାମନାକୁ ଆସିଛି । ବୁଧବାର ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୫୦୬ ଥିବା ବେଳେ ଗୁରୁବାର ଏହି ସଂଖ୍ୟା ୩୫ ହଜାର ୭୧୩ରେ ପହଞ୍ଚିଛି । ଅର୍ଥାତ ଆକ୍ରାନ୍ତଙ୍କ ସଂଖୟା ୧୩ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି ୪ ହଜାର ୨୫ ଜଣ ଏଯାଏ ଇଟାଲୀରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବି ୨୮ ହଜାର ୭୧୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଚୀନରେ କରୋନା ମୃତ୍ୟୁରେ ନିୟନ୍ତ୍ରଣ ଆସିଛି । ଏହା କେବଳ ଚୀନବାସୀଙ୍କ ସତର୍କତା ଅବଲମ୍ବନ କରୁଥିବାରୁ ସମ୍ଭବ ହୋଇପାରିଛି । ଚୀନରେ ମୃତ୍ୟୁ ସଂଖ୍ୟା ୩ ହଜାର ଅତିକ୍ରମ କରିଥିବା ବେଳେ ଇଟାଲୀରେ ମୃତ୍ୟୁସଂଖ୍ୟା ପ୍ରାୟ ୨୦୦ ଥିଲା । ବର୍ତ୍ତମାନ ଇଟାଲୀରେ ଦିନକୁ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଏହା ଚୀନର କରୋନା ଜନିତ ମୃତ୍ୟୁସଂଖ୍ୟାକୁ ଦିନେ ଟପିଯାଇପାରେ ବୋଲି ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ ଚୀନର ଉହାନରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଏଯାଏ ସାରା ବିଶ୍ୱରେ ପାଖାପାଖି ୯ ହଜାର ଜୀବନ ନେଇଥିବା ବେଳେ ପ୍ରାୟ ୨ ଲକ୍ଷରୁ ଉଦ୍ଧ୍ୱର୍ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

Related posts

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସର ୨ ବିଧାୟକଙ୍କ ଇସ୍ତଫା

mahabharatanews

ଏମିତି କିଛି ଗାଁ, ଯେଉଁଠି ହୋଲି ଖେଳିବା ମନା

mahabharatanews

ବୃଦ୍ଧି ପାଇବାରେ ଲାଗିଛି ସୁନା ଦର

mahabharatanews