(ମହାଭାରତ, ସତ୍ୟବାଦୀ): ସତ୍ୟବାଦୀ ଥାନା ଅନ୍ତର୍ଗତ କେନ୍ଦୁସାହି ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ପଶି ଚୋରି କରିଥିବା ଅଭିଯୋଗ ହୋଇଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଗାଁର ଦୀନବନ୍ଧୁ ଦଳାଇଙ୍କ ଘରେ ପଶି ଚୋରମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଦୀନବନ୍ଧୁଙ୍କ ସ୍ତ୍ରୀ ସତ୍ୟଭାମା ଗତ ମଙ୍ଗଳବାର ରାତିରେ ଖାଇ ସାରି ଶୋଇବାକୁ ଯାଇଥିଲେ । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ବାରିପଟ କବାଟ ଭାଙ୍ଗି ଘରେ ପଶିଥିଲେ । ସମସ୍ତେ ଶୋଇ ପଡିଥିବାର ସୁଯୋଗ ନେଇ ଆଲମାରୀରେ ଥିବା ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ । ଏହା ବ୍ୟତୀତ ଦୂର୍ବୃତ୍ତମାନେ ବାକ୍ସ ଓ ଏକ ଆଟାଚି ନେଇଯାଇଥିବା ମଧ୍ୟ ଜଣାପଡିଛି । ଏନେଇ ତା’ ପରଦିନ ସତ୍ୟବାଦୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ସତ୍ୟବାଦୀ ବ୍ଲକରେ ଚୋରି ଦିନକୁ ଦିନ ବଢୁଥିବାରୁ ଏହାକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଗତ ଏକ ମାସ ମଧ୍ୟରେ ୪ଟି ଚୋରି ହୋଇଥିବାର ବେଳେ ପୋଲିସ ସେମାନଙ୍କ ସନ୍ଧାନ ପାଇପାରି ନାହିଁ । ବ୍ଲକ ଅଧିନସ୍ଥ କାଞ୍ଜିଆ, ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀ ମନ୍ଦିରରୁ ଚୋରମାନେ କବାଟ ଭାଙ୍ଗି ଚୋରି କରିଥିବା ବେଳେ ପୋଲିସ ଗୋଟିଏ ବି ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇନାହିଁ । ସତ୍ୟବାଦୀ ବ୍ଲକରେ ବାରମ୍ବାର ଚୋରି ବୃଦ୍ଧି ପାଉଥିବା ବେଳେ ପୋଲିସ ଏଭଳି ହାତବାନ୍ଧି ବସିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
previous post
next post
