ଭୁବନେଶ୍ୱର: କୋଭିଡ୍-୧୯ ବିରୋଧରେ ଜାରି ଯୁଦ୍ଧରେ ବିଜୟ ହାସଲ କରିବାକୁ ଏକ ଲମ୍ବା ଦୌଡ ଦୌଡିବାକୁ ହେବ । ଆଉ ଏକ ଦୌଡରେ ରାଜ୍ୟବାସୀଙ୍କୁ ସାମିଲ ହେବାକୁ ହେବ ବୋଲି ଆଜି କୋଭିଡ୍-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।
କରୋନାକୁ ପ୍ରତିହତ କରିବାକୁ ସେ ରାଜ୍ୟବାସୀଙ୍କୁ ଏକ ଆଠ ସୂତ୍ରୀ ମନ୍ତ୍ର ଦେଇଛନ୍ତି । ସର୍ବ ପ୍ରଥମେ ଆମେ ନିଜକୁ ଘର ଭିତରେ ଆବଦ୍ଧ ରଖିବା ଓ ସୁସ୍ଥ ରଖିବା। ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ଓ କରୋନା ସଂକ୍ରମଣ ରୋକିବାକୁ ସବୁ ନିୟମର ପାଳନ କରିବା । ନିଜର ପ୍ରିୟ ପରିଜନ ସୁସ୍ଥ ଥିବା ଦେଖି ନିଜ ମନକୁ ଶାନ୍ତ ରଖିବା। ଘରେ ଆବଦ୍ଧ ରହିଲେ ବି ଶାରୀରିକ ପରିଶ୍ରମ କରି ନିଜକୁ ସୁସ୍ଥ ଓ କାର୍ୟ୍ୟକ୍ଷମ ରଖିବା ଅବଶ୍ୟକ । ବର୍ତ୍ତମାନ ସ୍ଥିତିରେ କମ ଖାଇବା ଦରକାର । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଘରର ମହିଳାଙ୍କୁ ଆରାମ ଦେବାକୁ ଘର କାମରେ ସହଯୋଗ କରିବାର ଆବଶ୍ୟକତା ରହିଛି । ସେମାନେ ଘରର ମେରୁଦଣ୍ଡ ହୋଇଥିବାରୁ ସେମାନଙ୍କ ସୁସ୍ଥତା ଆବଶ୍ୟକ । ପରିବାରର ସମସ୍ତେ ଏକାଠି ବସି ଖାଇବା। ପରିବାରର ବୟସ୍କମାନଙ୍କର ସ୍ୱାସ୍ଥ୍ୟ କଥା ବୁଝିବା ସହ ପିଲାମାନଙ୍କର ମନକଥା ବୁଝିବା। ପରସ୍ଥିତିକୁ ଦୃଷ୍ଟିରେ ରଖି ଶାରୀରିକ ଦୂରତ୍ୱ ଆବଶ୍ୟକ ହୋଇଥିବା ବେଳେ ମାନସିକ ନିକଟତା ରକ୍ଷା କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧତ କରିବା ଅବସରରେ ରାଜ୍ୟବାସୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ବାଗଚୀ।