ଓଡିଶା

କର୍ଣ୍ଣାଟକରେ ଅଟକିଥିବା ୭୦ ଶ୍ରମିକଙ୍କ ରାଜ୍ୟ ସରକାରକୁ ନିବେଦନ

(ଶିଳାସ୍ମିତା ରାୟ/ ଭୁବନେଶ୍ୱର): କର୍ଣ୍ଣାଟକରେ ଅଟକି ରହିଛନ୍ତି ୭୦ରୁ ଅଧିକ ପ୍ରବାସୀ ଓଡିଆ ଶ୍ରମିକ । ଲକଡାଉନ ପରଠୁ କାମ ଧନ୍ଦା ବନ୍ଦ ଥିବା ବେଳେ ଏବେ ସେମାନଙ୍କ ପାଖରେ ନାହିଁ କାଣି କଉଡି । ଭୋକ ଉପାସରେ ବିତୁଛି ସେମାନଙ୍କ ଦିନ । ସ୍ଥାନୀୟ ପ୍ରଶାସନକୁ ଓଡିଶା ଫେରିବାକୁ ଗୁହାରି କଲେ ସେମାନଙ୍କୁ ପୁଲିସ ଲାଠି ଖାଇବାକୁ ପଡୁଛି । ତେଣୁ ଅସହାୟ ଏହି ଓଡିଆ ଶ୍ରମିକ ରାଜ୍ୟ ସରକାରଙ୍କୁ ଓଡିଶା ଫେରାଇ ନେବାକୁ ଗୁହାରି କରୁଛନ୍ତି ।

କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ମାର୍ଚ୍ଚ ୨୪ରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଗଲା । ଅଖ ବନ୍ଦ ଚକ ବନ୍ଦ । ଯିଏ ଯେଉଁଠି ଥିଲେ ସେଠାରେ ବନ୍ଦୀ ରହିଲେ । ପାଖରେ ଯେଉଁ କିଛି ସଂଚିତ ଧନ ଥିଲା ସେଥିରେ କିଛି ଦିନ କଷ୍ଟେମଷ୍ଟେ ଚଳେଇବା ପରେ ମଧ୍ୟ ଲକଡାଉନ ଅବଧି ବଢି ଚାଲିଛି । ଏହାରି ମଧ୍ୟରେ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କୁ ସେହି ସବୁ ରାଜ୍ୟର ସରକାର ପଠାଇବାର ବ୍ୟବସ୍ଥା କରୁଛନ୍ତି । ଓଡିଶାକୁ କେରଳ, ସୁରତ ଆଦି ସ୍ଥାନରୁ ବହୁ ପ୍ରବାସୀ ଓଡିଆ ଶ୍ରମିକ ଫେରୁଛନ୍ତି । ଏପରି ସମୟରେ ଆମ ସାମ୍ବାଦିକ ସରୋଜ ରାଉତଙ୍କୁ କର୍ଣ୍ଣାଟକରୁ ଏକ ଫୋନ ଆସିଲା, ଗାଁକୁ ଫେରିବା ଦିଗରେ ସହଯୋଗ କରିବାକୁ ଅନୁରୋଧ କଲେ । ତାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକ, କୋଲାର ଜିଲ୍ଲାର ନାସାପୁରାରେ ଥିବା ହୋଣ୍ଡା ଓ ଏକ୍ସିଡ କମ୍ପାନୀରେ କାମ କରୁଥିବା ପ୍ରାୟ ୩୦୦ ଶ୍ରମିକ ନିଜ ଗାଁକୁ ଫେରିବାକୁ ଚାହିଁ ବସିଛନ୍ତି । ସେମାନଙ୍କ ମଧ୍ୟରେ ଓଡିଶାର ପ୍ରାୟ ୭୦ ଜଣ ଶ୍ରମିକ ଥିବା ବେଳେ ଅନ୍ୟମାନେ ବିହାର, ପଶ୍ଚିମ ବଙ୍ଗର ରହିଛନ୍ତି । ସେମାନେ ସମସ୍ତେ ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ଗଞ୍ଜାମ, ବ୍ରହ୍ମପୁର ଜିଲ୍ଲାର । ଲକ୍ଡାଉନ ପରେ କମ୍ପାନୀ ବନ୍ଦ ଥିଲା । ଏମାନେ ଆଶା ରଖିଥିଲେ ଲକ୍ଡାଉନ ସରିଲେ ସବୁ ଠିକ୍ ହୋଇଯିବ । ଏହା ସହ ସମସ୍ତ ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ହୋଇଥିଲା । ତେଣୁ ଭାଗ୍ୟକୁ ଆଦରି ରହିଥିଲେ । କିନ୍ତୁ ଲକ୍ଡାଉନ୍ ପୁଣି ଘୁଞ୍ଚିଲା । ତେବେ ସରକାରଙ୍କ ନିର୍ଦ୍ଦେଶକ୍ରମେ କମ୍ପାନୀ ଖୋଲିବା ପରେ କମ୍ପାନୀ ତାର ସ୍ଥାୟୀ କର୍ମଚାରୀଙ୍କୁ ରଖି ଠିକା କର୍ମଚାରୀଙ୍କୁ ବାହାର କରି ଦେଲା । ଏହା ପରେ ଏହି ୩୦୦ ଜଣ ସେମାନଙ୍କ ଚାକିରି ହରାଇ ବସିଲେ । ଏବେ ନା ପାଖରେ ପଇସା ଅଛି ନାହିଁ ଚାକିରି ।

ତେଣୁ ଗାଁକୁ ଫେରିବା ଆଶା ନେଇ ସେମାନେ ଯାଇଥିଲେ ନାସାପୁରା ତହସିଲ ଅଫିସକୁ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ । ସେମାନଙ୍କୁ ଶୀଘ୍ର ଘରକୁ ପଠାଇବାକୁ ଗୁହାରି ହୋଇଥିଲେ । କିନ୍ତୁ ଲକଡାଉନ ଅବଧିରେ କେହି କେଉଁଆଡେ ଯାଇ ପାରିବେ ନାହିଁ, ସରକାରୀ ନିର୍ଦ୍ଦେଶ ଆସିଲେ ସେମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯିବ ବୋଲି କୁହାଗଲା । ଗତକାଲି ସେମାନେ ପୁଣି ତହସିଲ ଅଫିସକୁ ଯାଇ ରାଜ୍ୟକୁ ପଠାଇବାକୁ ବନ୍ଦୋବସ୍ତ କରିବାକୁ ନେହୁରା ହୋଇଥିଲେ । କିନ୍ତୁ ତହସିଲଦାରଙ୍କ ଦେଖା ତ ମିଳିଲାନି, ବରଂ ଗେଟ ନିକଟରୁ ପୁଲିିସ କର୍ମଚାରୀ ସେମାନଙ୍କୁ ମାଡ ମାରି ଘଉଡାଇ ଦେଲେ । ଏଥିସହ ଓଡିଶା ସରକାର କାହାରିକୁ ନେବାକୁ ମନା କରିଥିବା ସେମାନଙ୍କୁ କୁହାଗଲା । ଏହା ପରେ ଅସହାୟ ପ୍ରବାସୀ ଶ୍ରମିକମାନଙ୍କ ଉପରେ ଚଡକ ପଡିଛି ଯେମିତି । କୋଉଠୁ କିଛି ନ ପାଇ ଆମ ସହ ଯୋଗାଯୋଗ କରି ରାଜ୍ୟ ସରକାରଙ୍କ ନିକଟରେ ସେମାନଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି । ସେମାନଙ୍କ ଅନୁଯାୟୀ, ସେମାନଙ୍କ ସମସ୍ତ ସଂଚିତ ଅର୍ଥ ଶେଷ ହୋଇ ଗଲାଣି । ଖାଇବାକୁ ପାଖରେ ଅର୍ଥ ନାହିଁ । ଏଠାରେ ରହିଲେ ମରିଯିବେ । ଯଦି ରାଜ୍ୟ ସରକାର କିଛି ପଦକ୍ଷେପ ନ ନିଅନ୍ତି ତେବେ ଏଠି ମରିବା ଅପେକ୍ଷା ଗାଁକୁ ଚାଲିଚାଲି ଯିବା ରାସ୍ତାରେ ମରିବା ଶ୍ରେୟସ୍କର ହେବ ।

Related posts

ଓଡିଶା ରାଜନୀତିର ଉଜ୍ଜଳ ତାରକା

mahabharatanews

୨୬ରୁ ଆଦିବାସୀ ମେଳା

mahabharatanews

ମା ତାରା ତାରିଣୀ ଚୈତ୍ର ପର୍ବ ସକାଶେ ପ୍ରସ୍ତୁତି ବୈଠକ

mahabharatanews