ଓଡିଶା

କାମ ଅଭାବରୁ ପଥର ହାଣି ପେଟ ପୋଷନ୍ତି ସାରଦାପୁଟ ଗ୍ରାମବାସୀ

(ମହାଭାରତ, ମାଲକାନଗିରି): ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି । ଜିଲ୍ଲାରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନ ଅତି ଶୋଚନୀୟ । ନିଜର ସ୍ୱଳ୍ପ ଜମିରେ ଧାନ, ମାଣ୍ଡିଆ, ସୁଆଁ ଆଦି ଫସଲ କରି କେହି କେହି ଗୁଜୁରାଣ ମେଣ୍ଟାଇଥାନ୍ତି । ତଥାପି ଜିଲ୍ଲାର ବହୁ ଆଦିବାସୀଙ୍କର ନିଜର ବୋଲି ଇଞ୍ଚେ ହେଲେ ଜମି ନାହିଁ । ଫଳରେ କାମ ଅଭାବରୁ ଏମାନେ ପ୍ରକୃତି ଉପରେ ର୍ନିଭର କରିବାକୁ ବାଧ୍ୟ ହେଉଛନ୍ତି । ଜଙ୍ଗଲରେ କନ୍ଦା, କେନ୍ଦୁ, ଝୁଣା, ମହୁ, କାଠ ସହ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପ୍ରତ୍ୟେକ ଋତୁରେ ତାକୁ ବିକ୍ରି କରଥାନ୍ତି । ଶିକ୍ଷା ଏମାନଙ୍କ ପାଇଁ ସାତ ସପନ ହୋଇଥିବା ବେଳେ ଘର ତିଆରି ତ ଦୂରର କଥା ପେଟ ପାଇଁ ଦାନା ଯୋଗାଡ଼ କରିବା ଏମାନଙ୍କ ଭାଗ୍ୟରେ ସବୁଦିନ ଜୁଟେ ନାହିଁ ।

ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ସାରଦାପୁଟ ଗ୍ରାମରେ ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ପେଟର ଭୋକ ଆଗରେ ଶକ୍ତ ପଥର ବି ଫାଟି ଧୂଳି ହୋଇଯାଉଛି । କାମଧନ୍ଦା ନ ମିଳିବାରୁ ଗ୍ରାମବାସୀମାନେ ନିକଟସ୍ଥ ପାହାଡ଼କୁ ଯାଇ ପଥର ଭାଙ୍ଗୁଛନ୍ତି । ଖରା,ବର୍ଷା, ଶୀତ ଏମାନଙ୍କ ପାଇଁ ସବୁ ସମାନ । କେବଳ ଦିନକ ପାଇଁ ପେଟକୁ ଦାନା ମିଳିଲେ ହେଲା । ସକାଳେ ମାଣ୍ଡିଆ ପେଜ ଖାଇ ଦେଇ ପଥର ଭାଙ୍ଗିବା ପାଇଁ ପାହାଡ଼କୁ •ଲିଯାନ୍ତି ଏହି ଗାଁର ଲୋକେ । ସନ୍ଧ୍ର୍ୟାରେ ଘରକୁ ଫେରି ଯାହା ଘରେ ଥାଏ ଖାଇ ଶୋଇପଡ଼ନ୍ତି । ଛୋଟ ପିଲା ଥିବା ଘରର ଲୋକେ ମଧ୍ୟ ସେମାନଙ୍କୁ ସାଙ୍ଗରେ ନେଇ ନିଜ ପାଖରେ ବସାଇ ପଥର ଭାଙ୍ଗନ୍ତି । ଦିନ ସାରା ପିଲାମାନେ ସେହିଭଳି ଜଙ୍ଗଲରେ ବସି ରହିଥାନ୍ତି ।

ସାରଦାପୁଟ ଗାଁର ଏହି ଆଦିବାସୀମାନଙ୍କୁ ଦିନ ସାରା ପଥର ଭାଙ୍ଗିଲେ ମିଳୁଛି ମାତ୍ର ୮୦ ଟଙ୍କା । ଗୋଟିଏ ଡବା ଗୋଡ଼ିକୁ ମିଳେ ମାତ୍ର ୪୦ ଟଙ୍କା । ସେମାନଙ୍କ ଠାରୁ ଗୋଡ଼ି କିଣି ବାହାରେ ଚଢ଼ା ଦରରେ ବିକି ମାଲେମାଲ ହେଉଛନ୍ତି ଦଲାଲ । ପେଟର ଭୋକ ସହି ନପାରି କଷ୍ଟ ହେଲେ ମଧ୍ୟ ପଥର ଭାଙ୍ଗିବାରେ ଲାଗିଛନ୍ତି ଗାଁର ମହିଳା ଓ ପୁରୁଷ । ସାରଦାପୁଟ ଗ୍ରାମରେ ବସବାସ କରୁଥିବା ପ୍ରାୟ ସମସ୍ତେ ଆଦିବାସୀ । ସରକାରଙ୍କ ଅଧିକାଂଶ ଯୋଜନାର ସୁଫଳ ଏମାନେ ପାଉନଥିବା ବେଳେ ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଏହି ଗାଁର କିଛି ଲୋକେ କହିଛନ୍ତି । ଯଦି ସରକାର ସେମାନଙ୍କୁ କାମ ଯୋଗାଇ ଦିଅନ୍ତେ ତାହାହେଲେ ସେମାନେ ଏଭଳି କଷ୍ଟସାଧ୍ୟ କାମ କରିବାକୁ ମନ ବଳାନ୍ତେ ନାହିଁ ବୋଲି ଗାଁ ଲୋକେ କହିଛନ୍ତି । ଏହି ଅଞ୍ଚଳଟି ଚିତ୍ରକୋଣ୍ଡା ର୍ନିବାଚନ ମଣ୍ଡିଳୀ ଅନ୍ତର୍ଗତ ହୋଇଥିବା ବେଳେ ବିକାଶର ଅର୍ଥ ଏଠାକାର ଲୋକେ କିଛି ବୁଝନ୍ତି ନାହିଁ । ଦେଶ ଓ ଦୁନିଆରେ କଣ ଘଟୁଛି ତାହା ଜାଣିବା ଏମାନଙ୍କ ପାଇଁ ସ୍ୱପ୍ନ । ଏଭଳି ପରିସ୍ଥିତିରେ ଜୀବନ କାଟୁଥିବା ଏହି ଆଦିବାସୀଙ୍କ ପ୍ରତି କେବେ ସରକାରଙ୍କ ଦୃଷ୍ଟି ପଡୁଛି ତାହା ଦେଖିବାକୁ ବାକି ରହିଲା ।

Related posts

ରାସ୍ତା ମଝିରେ ଜଳିଗଲା ଟ୍ରକ୍

mahabharatanews

ଏସଟିଏଫକୁ ବଡ ସଫଳତା; ୩ କେଜିର ବ୍ରାଉନ ସୁଗାର ଜବତ

mahabharatanews

ହିଙ୍ଗୁଳା ପୀଠରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

mahabharatanews