ନୂଆଦିଲ୍ଲୀ: ଆଜି କାରଗିଲ୍ ବିଜୟ ଦିବସ । ପାକିସ୍ତାନ ବିରୋଧରେ ସେନାର ବୀରତ୍ୱକୁ ମନେପକାଲେ ପ୍ରତ୍ୟକ ଭାରତୀୟଙ୍କ ଛାତି କୁଣ୍ଢେମୋଟ ହୋଇଯାଏ । ଯେଉଁ ଯୁଦ୍ଧ କଥା ମନେ ପକାଇଲେ ପାକିସ୍ତାନର ହୋସ୍ ଉଡ଼ିଯାଏ । କାରଗିଲ ଯୁଦ୍ଧ ୧୯୯୯ ମେ’ ୩ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । ଯୋଜନାବଦ୍ଧ ଭାବରେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା । ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ । ଭାରତୀୟ ସେନା ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେସନ ବିଜୟ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାରଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା । ୨୩ ବର୍ଷ ପରୁଣା ଏକ ଯୁଦ୍ଧ । ଶତ୍ରୁ କବ୍ଜାରେ ଥିଲା କାରଗିଲର ପାହାଡ଼ । ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଜମ୍ମୁ କାଶ୍ମୀରର ୭୧ ଜଣ ଯବାନ ଥିଲେ । ପାକିସ୍ତାନୀ ସେନାର ଅନୁପ୍ରବେଶ ପରେ ବଦଳି ଯାଇଥିଲା ସମ୍ପୂର୍ଣ୍ଣ କାରଗିଲର ଚିତ୍ର ।
ରଣକ୍ଷେତ୍ର ପାଲଟିଥିଲା କାରଗିଲ ବକ୍ଷ । ଗୋଳାବାରୁଦ, ବୋମା ବିସ୍ଫୋରଣରେ କମ୍ପିଥିଲା ସେହି ପାହାଡିଆ ଉପତ୍ୟକା । ଭାରତୀୟ ବାୟୁସେନାର ମିଗ୍ ୨୭, ମିଗ୍ ୨୯ରୁ ଶତ୍ରୁ ଶିବିର ଉପରେ କରିଥିଲା ବୋମାମାଡ଼ । ସାରା ବିଶ୍ୱ ଦେଖୁଥିଲା ଭାରତୀୟ ଯବାନ କେମିତି ସମସ୍ତ ବିପରୀତ ପରିସ୍ଥିତିରେ ମଧ୍ୟ ଦେଶର ସୁରକ୍ଷା ଲାଗି ଲଢୁଛନ୍ତି । ବିମାନ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରିଥିଲେ ସରିଫ । ଶେଷରେ କାରଗିଲ ଖାଲି କରି ପଳାୟନ କରିଥିଲେ ପାକିସ୍ତାନୀ ସୈନ୍ୟ । ୧୯୯୯ ଜୁଲାଇ ୨୬ରେ ସମାପ୍ତ ହୋଇଥିଲା ଅପରେସନ ବିଜୟ । ସେହି ଗୌରବମୟ ଦିନକୁ ଆଜି ପୂରିଛି ୨୩ବର୍ଷ ।
ଦେଶ ପାଇଁ ଜୀବନ ଦେଇଥିଲେ ଓଡ଼ିଶାର ଅନେକ ଯବାନ । ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ୱିକାର କରିଥିଲା ପାକିସ୍ତାନ । ବୀର ଯବାନମାନଙ୍କୁ ମନେ ପକାଇବା ପାଇଁ ତାଙ୍କର ବୀରଗାଥାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ କାରଗିଲ୍ ବିଜୟ ଦିବସ ପାଳନ କରାଯାଏ ।ଏଣୁ ଆଜି ଏହି ବୀର ସହିଦଙ୍କ ବଳିଦାନକୁ ମନେପକାଇ ଦିବସ ପାଳୁଛି ସାରାଦେଶ ।