ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ଓରତି ଗ୍ରାମ ପଞ୍ଚାୟତ ଖଣ୍ଡାୟତପଟକିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରଦାନରେ ହୋଇଥିବା ଅନିୟମିତତାର ତଦନ୍ତ ଶେଷ ହୋଇଛି । ଖଣ୍ଡାୟତପଟକିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଥିବାର ଖୋଦ୍ ସିଆରସିସି ଗତିକୃଷ୍ଣ ରାଉତ ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଉପରେ କୌଣସି ତଦନ୍ତ କରାନଯିବାରୁ ସିଆରସିସି ଶ୍ରୀ ରାଉତ ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡ଼ାଲ ଅଫିସରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡ଼ାଲ ଅଫିସରଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ନିକୁଞ୍ଜ ବିହାରୀ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅଫିସ ସହକାରୀ ଅଶୋକ କୁମାର ବେହେରା ପ୍ରମୁଖ ଖଣ୍ଡାୟତପଟକିରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନଭୋଜନ ସମ୍ବନ୍ଧିତ ସମସ୍ତ ସରକାରୀ କାଗଜପତ୍ର ତନତନ କରି ତନଖି କରିଥିଲେ । ଏହି ତନଖି ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବିଦ୍ୟୁତଲତା ଦାଶ, ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ତଦନ୍ତରେ ପୂର୍ଣ୍ଣ ସହଯୋଗ କରିଥିଲେ । ତେବେ ନିଶ୍ଚିନ୍ତକୋଇଲି ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ନିକୁଞ୍ଜ ବିହାରୀ ମହାନ୍ତିଙ୍କୁ ପଚାରିବାରୁ ସେ ତଦନ୍ତ କରି ତାଙ୍କ ରିପୋର୍ଟ ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଅପରପକ୍ଷରେ ବ୍ଲକ ଶିକ୍ଷାଧିକାରୀ ମନୋରଂଜନ ବାରିକଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ମିଳିଲେ ମଧ୍ୟାହ୍ନଭୋଜନ ପ୍ରଦାନରେ ଅନିୟମିତତାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବିଦ୍ୟୁତଲତା ଦାଶଙ୍କୁ ପଚାରିବାରୁ ସେ ମଧ୍ୟାହ୍ନଭୋଜନ ପ୍ରଦାନରେ ଅନିୟମିତତା ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲେ । ଏହି ଅଭିଯୋଗ ସମ୍ପୂର୍ଣ୍ଣ ତ୍ତିତ୍ତିହୀନ ବୋଲି ପ୍ରକାଶ କରିଥିଲେ । ତେବେ ଏହି ଅଭିଯୋଗରେ କେତେଦୂର ସତ୍ୟତା ଅଛି ତଦନ୍ତ ରିପୋର୍ଟ ହସ୍ତଗତ ହେଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
previous post
