(ଜ୍ୟୋର୍ତିମୟୀ ପଟ୍ଟନାୟକ/ରିପୋର୍ଟରସ ଟୁଡେ): ଓଡ଼ିଶାର ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଛତିଶଗଡ଼ର ରାୟପୁର ନିକଟବର୍ତ୍ତୀ ଛେରିଖେଡ଼ିରେ ଗଞ୍ଜାମରୁ ଗୁଜରାଟ ଅଭିମୁଖେ ଯାତ୍ରା କରୁଥିବା ଏକ ବସର ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ଏଯାବତ୍ ମୃତକମାନଙ୍କ ପରିଚୟ ମିଳିପାରି ନାହିଁ । ଆହତମାନଙ୍କୁ ନିକଟସ୍ଥ ଆମ୍ବେଦକର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୁଚନାରୁ ଜଣାପଡିଛି ।
ଏହି ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକମାନଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାଛଡ଼ା ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାକୁ ତୁରନ୍ତ ରାୟପୁର ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଛତିଶଗଡ଼ ଡିଜିପିଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଓଡ଼ିଶା ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
