ଓଡିଶା

ଝାରପଡା,ଚୌଦ୍ୱାର ଜେଲକୁ ମିଳିବ ୨୦ ବଡି କ୍ୟାମେରା

ଭୁବନେଶ୍ୱର: ୨୦୨୧-୨୦୨୨ ବର୍ଷ ପାଇଁ ଜେଲଗୁଡିକର ଆଧୁନିକିକରଣ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ୫-ଟି ଅଧୀନରେ ଜେଲ ଗୁଡିକର ବିକାଶ ପାଇଁ ଜେଲ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ୍ୟରେ ଥିବା ପ୍ରମୁଖ ଜେଲ ସମେତ ଜିଲ୍ଲା ମୁଖ୍ୟ ଜେଲଗୁଡିକର ବିକାଶ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବା ଯୋଗୁ ଅଭିଯୁକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଜେଲ ଗୁଡିକରେ କଏଦୀ ଧାରଣର କ୍ଷମତା ଆଉ ୨୨୦୯ ଟି ବୃଦ୍ଧି କରାଯାଇଛି ।
ଜେଲରେ ବେଆଇନ ମୋବାଇଲ ବ୍ୟବହାରକୁ ରୋକିବା ପାଇଁ ମେଟାଲ ଡିଟେକ୍ଟର ଲଗାଇବା ପାଇର୍ଁ ବ୍ୟବସ୍ଥା କରାଯାଇଛି । ସର୍କଲ ଜେଲ, ଜିଲ୍ଲା ମୁଖ୍ୟ ଜେଲ ସମେତ କେତକ ସମ୍ବେଦନଶୀଳ ଜେଲ ଗୁଡିକରେ ଏହାକୁ କାର୍ଯ୍ୟକ୍ଷମ କରାଯିବ । ଫଳରେ ଜେଲ ଭିତରକୁ ମୋବାଇଲ, ଚାର୍ଜର, ସିମ୍ କାର୍ଡ ଆଦି ପ୍ରବେଶ ହୋଇପାରିବ ନାହିଁ । ସେହିପରି ଜେଲରେ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଝାରପଡା ସ୍ୱତନ୍ତ୍ର ଜେଲ ଏବଂ ଚୌଦ୍ୱାର ସର୍କଲ ଜେଲରେ କର୍ମଚାରୀଙ୍କୁ ବଡି କ୍ୟାମେରା ଦେବା ପାଇଁ ନଷ୍ପତ୍ତିି ହୋଇଛି । ପାଇଲଟ ପୋଜେକ୍ଟ ଭାବେ ପ୍ରଥମ ପର୍ଯ୍ୟାୟରେ ଏହି ଦୁଇଟି ଜେଲରେ ୨୦ଟି ବଡି କ୍ୟାମେରା ଲଗାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ଜେଲ ଗୁଡିକରେ ଲଗାଯିବ ।
ସଜ୍ଜା କାଟୁଥିବା କଏଦୀଙ୍କ ରୋଜଗାର ବଢାଇବା ସହ ବିଶୁଦ୍ଧ ଖାଇବା ତେଲ ପ୍ରସ୍ତୁତ ପାଇଁ ଯୋଜନା କରାଯାଇଛି । ରାଜ୍ୟରେ ମୋଟ ୨୨ଟି ଜେଲରେ ଖାଇବା ତେଲ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ମେସିନ୍ ଲଗାଯିବ । ୧୫ଟି ଜେଲ ପାଇଁ ପାୱାର ଟେଲର କିଣିବା ପାଇଁ ବ୍ୟବସ୍ଥା କରାଯାଇଛି । ବିଶୁଦ୍ଧ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ପାଇଁ ୩୦ଟି ଜିଲ୍ଲାର ମୁଖ୍ୟ ଜେଲ ଗୁଡିକରେ ଖାଦ୍ୟ ପ୍ରସ୍ତୁତକାରୀ ମେସିନ ଲଗାଇବାକୁ ଅନୁମତି ମିଳିଛି । ପ୍ରାଥମିକ ପର୍ଯ୍ୟାୟରେ କେବଳ ଝାରପଡା ଜେଲରେ ଖାଦ୍ୟ ପସ୍ତୁତକାରୀ ମେସିନ ଲଗାଯାଇଥିଲା । ଏହା ସଫଳ ଯୋଗୁ ସବୁ ଜିଲ୍ଲାରେ ଖାଦ୍ୟ ପ୍ରସ୍ତୁତକାରୀ ମେସିନ ଲଗାଇବାର ବ୍ୟବସ୍ଥା କରାଯାଇଛି ।
ଅସୁସ୍ଥ କଏଦୀମାନଙ୍କୁ ନେବା ଆଣିବା କରିବା, କଏଦୀଙ୍କ ପାଇଁ ରନ୍ଧା ଖାଦ୍ୟ ଆଣିବା ଏବଂ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଚାଲାଣ କରିବା ସହ ଅନ୍ୟାନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୪୦ ଟି ଇ-ରିକ୍ସା ତଥା ବ୍ୟାଟେରୀଚାଳିତ ରିକ୍ସା କିଣିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଜେଲ ପରିସରରେ ସଫା ସୁତରା ରଖିବା ପାଇଁ ବିଭିନ୍ନ ଜେଲ ପାଇଁ ବୁଶ-କଟର ମେସିନ କିଣିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହିତ ଚଟାଣ ସଫା ପାଇଁ ଡ୍ରାଏ କ୍ଲିନର ମେସିନ୍ କିଣିବା ପାଇଁ ଅନୁମତି ମିଳିଛି ।
ଏଥିସହିତ ପାଣିପାଗକୁ ନଜର ରଖି ଜେଲ ଭିତରେ ଥିବା ମେଡିକାଲ ଏବଂ ୱାର୍ଡରେ ସନଷ୍ଟ୍ରୋକ୍ ୱାର୍ଡ ଖୋଲିବା ପାଇଁ କୁହାଯାଇଛି । ଏହି ୱାର୍ଡ ଗୁଡିକରେ ଏସି ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ଜେଲରେ ଇସିଜି ମେସିନ ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହିତ ଭୁବନେଶ୍ୱରରେ ୨୦ ବେଡ ବିଶିଷ୍ଟ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପଦ୍ମପୁର, ଜଗତଦସିଂହପୁର, ସୋରଡା ଏବଂ ଜି ଉଦୟଗିରିରେ ୧୦ଟି ବେଡ ଲେଖାଏଁ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।
ଅଚଳ ହୋଇ ପଡିଥିବା ସିସିଟିଭିର ମରାମତି ଏବଂ ନୂଆ ସିସିଟିଭି ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଯୋଗାଯୋଗ ପାଇଁ ବ୍ୟବହୃତ ହେଉଥିବା ଟେକ୍ନୋଲୋଜିର ଉନ୍ନତମାନର କରିବା ପାଇଁ ୨୪ଟି ଜେଲରେ ଇଣ୍ଟରକମ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସିହିତ ୧୩ଟି ଜେଲରେ ଥିବା ଭିଡିଓ କନଫେରେନ୍ସିଂ ଟେକ୍ନୋଲୋଜିର ବିକାଶ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।

Related posts

ବିଲରୁ ମିଳିଲା ନିଖୋଜଙ୍କ ମୃତ ଦେହ

mahabharatanews

 ଆସନ୍ତାକାଲି ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

mahabharatanews

ସେବା କରିବା ଯାହାର ନିଶା, ବିପଦର ସାଥୀ ଦେବୀ ପ୍ରସାଦ

mahabharatanews