ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀଙ୍କ ହିଂସାକାଣ୍ଡକୁ ଦେଶବ୍ୟାପୀ ନାପସନ୍ଦ କରାଯାଇଛି । ଏହାକୁ ଅଗଣତାନ୍ତ୍ରୀକ ବୋଲି ମଧ୍ୟ କୁହାଯାଇଛି । ଏହି ହିଂସାକାଣ୍ଡ ପଛରେ ବାହାର ଅସାମାଜିକ ତତ୍ୱଙ୍କ ସମ୍ପୃକ୍ତି ନେଇ ଚାଷୀ ସଂଗଠନ ଅଭିଯୋଗ କରୁଛନ୍ତି । ତେବେ ଏହା ପଛରେ ପଞ୍ଜାବର ଜଣେ ଅଭିନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ଦୀପ ସିଦ୍ଧୁ ଚାଷୀଙ୍କୁ ହିଂସା ଓ ଲାଲକିଲ୍ଲାରେ ପତାକା ଉଡାଇବାକୁ ଉସକାଇଥିବା ଅଭିଯୋଗ କରିଛନ୍ତି କୃଷକ ସଂଗଠନ ।
କୃଷକ ସଂଗଠନ ପକ୍ଷରୁ କୁହାଯାଇଛି, ଚୁକ୍ତି ମୁତାବକ ଶାନ୍ତିପୂର୍ଣ୍ଣଭାବେ ଟ୍ରାକ୍ଟର ରାଲି କରିବାର ଯୋଜନା ରହିଥିଲା । ଦୀପ ସିଦ୍ଧୁ ଆନ୍ଦୋଳନକାରୀ ଚାଷୀଙ୍କୁ ପ୍ରବର୍ତ୍ତାଇ ଆଉଟର ରିଙ୍ଗ ରୋଡ ଦେଇ ରାଲିକୁ ଲାଲକିଲ୍ଲା ଭିତରକୁ ନେଇଯାଇଥିଲେ ବୋଲି ଭାରତୀୟ କୃଷକ ସଙ୍ଗଠନ ନେତା ଗୁରନାମ ସିଂହ କହିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଦୀପ । ଫେସବୁକ ଜରିଆରେ ଏକ ଭିଡିଓ ଜାରି କରି ସେ କହିଛନ୍ତି, ଲାଲକିଲ୍ଲାରେ ସେ ହିଁ ପତାକା ଉଡାଇଥିଲେ, କିନ୍ତୁ ହିଂସା ପଛରେ ତାଙ୍କର କୌଣସି ହାତ ନାହିଁ । ସେ ଚାଷୀଙ୍କୁ କୌଣସି ପ୍ରକାରେ ହିଂସା ପାଇଁ ପ୍ରବର୍ତ୍ତାଇ ନ ଥିବା ଦୀପ କହିଛନ୍ତି ।
ଏହି ହିଂସାକାଣ୍ଡରେ ବହୁ ପୁଲିସ କର୍ମୀ ଆହତ ହୋଇଛନ୍ତି । କିଛି ଚାଷୀ ସଂଗଠନ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏହି ହିଂସାକାଣ୍ଡରେ କୌଣସି ଚାଷୀଙ୍କ ସମ୍ପୃକ୍ତି ନାହିଁ ବାହାରର ଅସାମାଜିକ ତତ୍ୱ ଏପରି କରିଥିବା କୁହାଯାଇଛି । ତେବେ ପୁଲିସ ଘଟଣାରେ ୨୨ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
previous post
