(ମହାଭାରତ, କାଶୀପୁର): ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମାସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଏକ ବସ୍ ଦୂର୍ଘଟଣାଗ୍ରସ୍ତ ହୋଇଛି । କାଶୀପୁର ମୂଖ୍ୟ ରାସ୍ତାରେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଘାଟିରୁ ତଳକୁ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଏକ ଇଲେକ୍ଟ୍ରି ଟ୍ରାନ୍ସଫରମରକୁ ଧକ୍କା ଦେଇଥିଲା । ପରେ ବସଟି ରାସ୍ତା ମଝିରେ ଓଲଟି ପଡିଥିଲା । ଦୂର୍ଘଟଣା ପରେ ବସ୍ଟି ଏକ ଚା’ ଦୋକାନ ଉପରେ ମାଡି ଯାଇଥିଲା । ଦୋକାନଟି ଭାଙ୍ଗି ଯାଇଥିବା ବେଳୈ ଦୋକାନୀ ଏବଂ ବସ୍ରେ ଥିବା ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଛନ୍ତି । ସୂଚନା ମୁତାବକ, ବସଟି ସୁଙ୍ଗେର ଠାରୁ ନୂଆଗାଁ ଯାଉଥିବା ବେଳେ ରାତି ପ୍ରାୟ ସାଢେ ୧୨ଟା ବେଳେ ଏହି ଦୂର୍ଘଟଣା ଘଟିଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟନାସ୍ଥଳରେ ପହଞ୍ଚି ଓଲଟି ପଡିଥିବା ବସ୍ ଭିତରୁ ଯାତ୍ରୀ ମାନଙ୍କୁ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେହିପରି ଗାଡିଟି ମାଡି ଯାଇଥିବା ଚା’ ଦୋକାନର କାନ୍ଥ ତଳେ ଚାପି ହୋଇଥିବା ଦୋକାନୀଙ୍କୁ ଉଦ୍ଧାର କରାଯାଇଥିଲା । ଦୂର୍ଘଟଣା ବେଳେ ବସରେ ଅଧିକ ଯାତ୍ରୀ ନଥିବା ଜଣାପଡିଛି । ଦୂର୍ଘଟଣା ପରେ ବସ୍ ଡ୍ରାଇଭର ସମେତ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । କାଶୀପୁର ପୋଲିସ ଘଟଣାର ତଦନ୍ତ ଚଳାଇଛି ।
previous post
