ଓଡିଶା

ଦୁର୍ଗମ ଇଲାକାରେ ଆଶାକର୍ମୀଙ୍କ ସଚେତନତା କାର୍ଯ୍ୟ

ରାୟଗଡ଼ା: ରାତି ନ ପାହୁଣୁ ରାୟଗଡ଼ା ଜିଲ୍ଲାର ଦୁର୍ଗମ, ପାହାଡ଼ିଆ ଗ୍ରାମାଞ୍ଚଳରେ ଶୁଣିବାକୁ ମିଳିଛୁ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସଚେତନତା ସ୍ୱର । ନିଜ ଜୀବନକୁ ବାଜି ଲଗାଇ ଦୁର୍ଗମ ଅଞ୍ଚଳରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଆଶା, ଅଙ୍ଗନବାଡ଼ିକର୍ମୀ । କିଏ ଘଣ୍ଟ ପିଟି ଲୋକଙ୍କୁ ସଚେତନ କରୁଛି ତ, କିଏ ପୋଷ୍ଟର ଲଗାଇ କରୋନାର ଭୟବହତାକୁ ଲୋକଙ୍କୁ ବୁଝାଉଛି । କୁଇ, ଆଦିବାସୀ, ତେଲୁଗୁ ଏବଂ ଓଡ଼ିଆ ଭାଷାରେ ଆଶା, ଅଙ୍ଗନବାଡ଼ି କର୍ମୀ ସଚେତନ କରିବା ସହିତ ୨୧ ଦିନ ସଂପୂର୍ଣ ଭାବେ ଗୃହାବଦ୍ଧ ହୋଇ ରହିବାକୁ କହୁଛନ୍ତି । ଏଥି ସହିତ ମାସ୍କ ନଚେତ ମୁହଁରେ ରୁମାଲ୍ ବାନ୍ଧିବା ଯାତାୟତ କରିବାକୁ ପରାମର୍ଶ ଦେଉଛନ୍ତି । ଏପରି ବିପଦ ସମୟରେ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିବା ବେଳେ ଆଶା, ଅଙ୍ଗନବାଡ଼ି କର୍ମୀ ନିଜ ଜୀବନକୁ ପାଣି ଛଡ଼ାଇ ତୁଲାଉଥିବା ଦାୟିତ୍ୱକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ରାୟଗଡ଼ା ବ୍ଲକର ଧୁମାଗୁଡ଼ାଠୁ ଆରମ୍ଭ କରି ଚନ୍ଦ୍ରପୁର ବ୍ଲକର ବୁଡୁବାଲି, କାଶୀପୁର ବ୍ଲକର ତଳଝିରି ସମେତ ଜିଲ୍ଲାର ସମସ୍ତ ଗ୍ରାମରେ ସମାନ୍ ଚିତ୍ର । ସରକାରଙ୍କ ନିର୍ଦେଶକୁ ପାଳନ କରି ପରିବାରକୁ ଛାଡ଼ି ଉପାନ୍ତ ଗାଁରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଆଶା, ଅଙ୍ଗନବାଡ଼ି କର୍ମୀ ଏବେ କରୋନାକୁ ନେଇ ଲୋକଙ୍କୁ ସଚେତନ କରୁଛନ୍ତି । ଗାଁରେ ପୋଷ୍ଟର ଲଗାଉଛନ୍ତି । ସହରରେ ପୁଲିସ୍ ଦ୍ୱାରା ନାକାବନ୍ଦୀ ଲାଗିଥିବା ବେଳେ ଗାଁରେ ସ୍ୱାସ୍ଥ୍ୟସେବା ଓ ସୁରକ୍ଷା ଦାୟିତ୍ୱକୁ ହାତକୁ ନେଇଛନ୍ତି ଏମାନେ । ଜିଲ୍ଲାରେ ମୋଟ ୧୯୪୭ ଅଙ୍ଗନବାଡ଼ି କର୍ମୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଘରକୁ ଘର ବୁଲି ଛତୁଆ, ଅଣ୍ଡା ବଣ୍ଟନ କରୁଛନ୍ତି । ମାର୍ଚ୍ଚ ମାସର ୧୪ ଦିନର ଛତୁଆ, ଅଣ୍ଡା ବଣ୍ଟନ ସରିଥିବା ବେଳେ ଏପ୍ରିଲ୍ ମାସର ୨୫ ଦିନର ଖାଦ୍ୟ ବଣ୍ଟନ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାନ୍ତଲାଲ ଦୀପ । ସେହିପରି ୧୮୨୭ ଆଶା କର୍ମୀ କରୋନା ସଚେତନତା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲିଥିବା କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ୬୪୦ ଗାଁର ୧୯୯୫ ଜଣ ଥିବା ବେଳେ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଟୀକାକରଣ କାର୍ଯ୍ୟ ବି ସ୍ୱାସ୍ଥ୍ୟକର୍ମୀ ହାତକୁ ନେଇଥିବା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଜିଲ୍ଲା ପ୍ରକଳ୍ପ ପରି·ଳକ ରାଜେଶ୍ୱର ପଟ୍ଟନାୟକ । କେରଳ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ଦାଦନ ଖଟିବାକୁ ଯାଇଥିବା ୨୦ ହଜାରରୁ ଉଦ୍ଧ୍ୱର୍ ଶ୍ରମିକ ଏବେ ଗାଁ ମୁହାଁ ହୋଇଥିବାରୁ ସମସ୍ତଙ୍କ ଉପରେ ନଜର ରଖିଛନ୍ତି ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ । ସରପଞ୍ଚ, ୱାର୍ଡମେମ୍ବର, ଜିଆରଏସ୍, ବିଡ଼ିଓଙ୍କ ମାଧ୍ୟମରେ ଦାଦନ ଫେରନ୍ତାଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଯାହା ଜିଲ୍ଲା ପ୍ରଶାସନ ପାଇଁ ଆର୍ଶୀବାଦ ସଦୃଶ୍ୟ ହୋଇଛି ।

Related posts

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ବିଜେଡିର ବଡ ପ୍ରସ୍ତୁତି

mahabharatanews

ହୋଲି ଦୁର୍ଘଟଣାର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ

mahabharatanews

+୨ ପ୍ରଥମ ବର୍ଷ ଆଡମିଶନ ପ୍ରକ୍ରିୟା ଆରମ୍ଭ

mahabharatanews