ଓଡିଶା

ନବରଙ୍ଗପୁରରେ ୧୦ କୋଟି ଟଙ୍କାର ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ହେବ

ନବରଙ୍ଗପୁର(ଟୁକୁନା ଖୁରା): ଦୀର୍ଘ ଦିନର ଦାବି ପରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ନିର୍ମାଣ ର ବାଟ ଖୋଲିଛି। ରାଜ୍ୟ ସରକାରଙ୍କ ନିଦ୍ଦେ;ଶ କ୍ରମେ, ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଏବଂ ଗୃହ ନିର୍ମାଣ, ନବରଙ୍ଗପୁରଙ୍କ ଦ୍ଵାରା ପ୍ରସ୍ତୁତ ୧୦.୦୦ କୋଟି ଟଙ୍କାର ଏକ ଏଷ୍ଟିମେଟ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରିଛନ୍ତି। ପ୍ରକାଶ ଥାଉକି, ୧୯୬୪ ମସିହାରେ ତତ୍କାଳୀନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ମାଟିର ଗର୍ବ ଓ ଗୌରବ ସ୍ବର୍ଗତ ଡ଼ଃ ସଦାଶିବ ତ୍ରିପାଠୀଙ୍କ ଉଦ୍ୟମରେ ନବରଙ୍ଗପୁର ସହରର ମଧ୍ୟ ସ୍ଥଳୀରେ ଶାସ୍ତ୍ରୀ ଭବନ ନିର୍ମାଣ ଓ ଶୁଭ ଉଦଘାଟନ ହୋଇଥିଲା।
ବର୍ତ୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ପରିତାପର ବିଷୟ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ କଳା ସାହିତ୍ୟ, ସଂସ୍କୃତି ଓ ନାଟକ ପରିବେଷଣ ଏବଂ ସରକାରୀ ବେସରକାରୀ କାର୍ୟ୍ୟକ୍ରମ କରିବା ପାଇଁ ଏକ ଆଧୁନିକ ପ୍ରେକ୍ଷାଳୟଟିଏ ନାହିଁ। ଏଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ଅନୁଷ୍ଠାନ ମହଲରୁ ଦାବି ହୋଇ ଆସୁଥିଲା। ଗତ ମାର୍ଚ୍ଚ ମାସ ୨୩ ତାରିଖରେ ନବରଙ୍ଗପୁର ସହରର କିଛି ଖବରଦାତା, କଳାକାର, ସାହିତ୍ୟିକ, କବି, ଆଇନଜୀବୀ ଏବଂ ବୁଦ୍ଧିଜୀବୀ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଜରିଆରେ ଏକ ସ୍ମାରକପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଥିଲେ। ରାଜ୍ୟ ସରକାର ନବରଙ୍ଗପୁର ସହରର ଏହି ଦୀର୍ଘଦିନ ର ଦାବିକୁ ଗୁରୁତ୍ୱର ସହିତ ବିଚାର କରି ଏକ ଆକଳନ ଚିଠା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଧେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ, ଏକ ଆକଳନ ଚିଠା ଜିଲ୍ଲାପାଳ ନବରଙ୍ଗପୁର ଙ୍କ ପତ୍ର ସଂଖ୍ୟା ୧୩୭୦ ତା ୨୭.୦୯.୨୦୨୧ ପ୍ରକାରେ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରିବା ଶୁଣି ନବରଙ୍ଗପୁର ସହରରେ ଆନନ୍ଦ ର ଲହରୀ ଖେଳିଯାଇଛି। ରାଜ୍ୟ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି କୁ ନବରଙ୍ଗପୁର ସହରର ବରିଷ୍ଠ ନାଗରିକ, କଳାକାର, ଖବରଦାତା, ସାହିତ୍ୟିକ, କବି, ଆଇନଜୀବୀଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ମହଲରେ ସ୍ୱାଗତ କରିଛନ୍ତି।

 

Related posts

୪ ମାସ ମଧ୍ୟରେ ରାଜ୍ୟରେ ଶେଷ ହେବ ଟୀକାଦାନ

mahabharatanews

ଶିକାର କରୁ କରୁ ଫୁଟିଲା ଗୁଳି, ଶିକାରୀ ଗୁରୁତର

mahabharatanews

ଆଜିଠୁ ବିଧାନସଭା ଅଧିବେଶନ, ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews