(ଜୟନ୍ତ କୁମାର ସେଠୀ / ପୁରୀ): ପରୀ ହତ୍ୟାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ଜାରୀ ରହିଥିବା ବେଳେ ପୁରୀ ଜିଲ୍ଲା ପିପିଲିରେ ମଧ୍ୟ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ ସହ କୁଶ ପୁତ୍ତଳିକା ଦାହ କରାଯାଇଛି । ପରୀ ହତ୍ୟା ପଛରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକା ରହିଥିବା ଅଭିଯୋଗ ଆସିଲା ପରେ ରାଜ୍ୟ ସାରା ତୁଙ୍ଗି ତୋଫାନ ଚାଲିଥିବା ବେଳେ ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଚଳାଇଛନ୍ତି । ହେଲେ ଏପର୍ୟ୍ୟନ୍ତ ରାଜ୍ୟ ସରକାର କିଛି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି କି ପରୀ ଓ ତାର ପରିବାରକୁ ନ୍ୟାୟ ଦେବାରେ ସଫଳ ହୋଇନାହାନ୍ତି । ଯେହେତୁ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ଅଭିଯୋଗ ଆସୁଛି । ତେଣୁ ତାଙ୍କ ଇସ୍ତଫା ଦାବୀ କରିଛି ପୁରୀ ଜିଲ୍ଲା ବିଜେପି । ଯେପର୍ୟ୍ୟନ୍ତ ସେ ଇସ୍ତଫା ଦେଇନାହାନ୍ତି ସେ ପର୍ୟ୍ୟନ୍ତ ତଦନ୍ତ ନିରପେକ୍ଷ ହେବ ନାହିଁ ବୋଲି ବୁଦ୍ଧି ଜିବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଆହୁରି ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ଯେ ଯଦି କୃଷିମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ସ୍ୱଚ୍ଛ ତେବେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ନିଜ ସ୍ୱଛତାର ପ୍ରମାଣ ଦେଇ ତଦନ୍ତ ନିରପେକ୍ଷ ହେବା ପାଇଁ ସହଯୋଗ କରନ୍ତୁ । ଏଥିପାଇଁ ପୁରୀଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ରାଲି ପିପିଲି ସ୍ଥିତ ବାରିମୂଳ ଠାରୁ କଣ୍ଟି ପର୍ୟ୍ୟନ୍ତ ଯାଇଥିଲେ । ସେଠାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରିବା ସହ କୁଶ ପୁତ୍ତଳିକା ଦାହ କରିଥିଲେ । ରାଜ୍ୟ ସରକାର ଯେଉଁ ଏସଆଇଟି ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ତାହାକୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିବା ବେଳେ ସିବିଆଇ ତଦନ୍ତ ପାଇଁ ଦାବୀ କରିଛନ୍ତି । ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ନଚେତ ଆଗାମୀ ଦିନରେ ଏହି ପ୍ରତିବାଦ ସମୂହ ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ।
