କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଭୂବନେଶ୍ୱରର ପିଆଇବି ପକ୍ଷରୁ ଆଂଚଳିକ ଗଣମାଧ୍ୟମ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ସହଯୋଗ ଓ ସୁସମ୍ପର୍କ ଯୋଜନା ପ୍ରଣୟନ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଶୈଳେଶ କୁମାର ମାଲବ୍ୟ ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଁଚାଇବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ । ସେ କହିଥିଲେ, ବିଭିନ୍ନ ଯୋଜନାର ସୁଫଳ ଲୋକମାନେ କିପରି ପାଇବେ ସେ ସମ୍ପର୍କରେ ସେମାନଙ୍କ ଲେଖା ଓ ରିପୋର୍ଟ ଯଥେଷ୍ଟ ସହାୟକ ହୋଇଥାଏ । ଏପରିକି କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ରହିଥିବା ତୃଟି ବିଚ୍ୟୁତିକୁ ମଧ୍ୟ ସେମାନେ ଲୋକଲୋଚକୁ ଆଣି ପ୍ରଶାସନକୁ ସଜାଗ ଓ ପାରଦର୍ଶୀ କରାଇଥାନ୍ତି । ଏହି କର୍ମଶାଳାରେ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ବିଜୟ କୁମାର କର ସ୍ୱଛ ଭାରତ ଅଭିଯାନ(ଗ୍ରାମୀଣ), ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସ୍ୱାସ୍ଥ୍ୟ କାର୍ଡ, ନିମଯୁକ୍ତ ୟୁରିଆ ଯୋଗାଣ, ପି.ଏମ.କିଷାନ ଯୋଜନା, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ କୁମାର ରାଉଳ ସ୍କିଲ ଇଣ୍ଡିଆ ଓ ପ୍ରଧାନମନ୍ତ୍ରୀ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ବିକାଶ ଯୋଜନା ଏବଂ ସତ୍ୟଭାମା ପ୍ରଧାନ ଓଡିଶା ଜୀବିକା ମିଶନ ଓ ମହିଳା ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ । ଏହି ଏକ ଦିବସୀୟ କର୍ମଶାଳାରେ ଜିଲ୍ଲାର ୫୦ରୁ ଉଦ୍ଧ୍ୱର୍ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ନିଜର ମତ ରଖିଥିଲେ । ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା ।
previous post