ବାଲେଶ୍ୱର: ପୋଢୁଁଆ ଅଷ୍ଟମୀ । ମା ନୂଆ ଡ୍ରେସ ପିନେ୍ଧଇ, ସଜବାଜ କଲେ । ପିଠା ଖାଇବାକୁ ଦେଲେ । ପିଠା ଖାଇ ପଡିଶା ଘରକୁ ପିଠା ଖାଇବାକୁ ଯାଇଥିଲା କୁନି ଝିଅଟି । ହେଲେ ଆଉ ଫେରିଲାନି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ନିମା ଗାଁରେ ଘଟିଛି ଏପରି ଘଟଣା । ପଡିଶା ଘରକୁ ଯାଇ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟା ନିଖୋଜ । ଏନେଇ ଥାନାରେ ହୋଇଛି ମାମଲା ।
ଆଜି ଥିଲା ପ୍ରଥମାଷ୍ଟମୀ । ବସ୍ତା ଥାନା ନିମା ଗାଁର ଉମାକାନ୍ତ ପ୍ରଧାନଙ୍କ ଅଢ଼େଇ ବର୍ଷର ଝିଅ ସଜବାଜ ହୋଇ ପଡ଼ୋଶୀଙ୍କ ଘରକୁ ଯାଇଥିଲା ପିଠା ଖାଇବାକୁ । ଅନେକ ସମୟ ପରେ ଝିଅ ନ ଫେରିବାରୁ ପରିବାର ଲୋକେ ପଡିଶା ଘରେ ପଚାରିଲେ । କିନ୍ତୁ ପଡ଼ୋଶୀ କହିଲେ, ଝିଅ ପିଠା ଖାଇ ଘରକୁ ଚାଲି ଯାଇଛି । ଏହା ଶୁଣି ପରିବାର ଅନ୍ୟମାନଙ୍କ ଘରେ ପଚରାଉଚରା କଲେ । କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡିଲା । ଶେଷରେ ବସ୍ତା ଥାନାରେ ଏନେଇ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ଦୁଇ ଜଣ ଫେରିବାଲା ଗାଁକୁ ଆସିଥିବାରୁ ସେମାନେ କୁନି ଝିଅକୁ ଅପହରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।