(ମହାଭାରତ, ଜଗତସିଂପୁର): ଜଗତସିଂପୁର ଜିଲ୍ଲା ବାଲିକୁଦା ଥାନା ଅଳାବର ଗାଁରେ ପୂର୍ବ ଶତ୍ରୁତାକୁ ନେଇ କିଛି ଦୁର୍ବୁତ୍ତ ଜଣେ ଯୁବକଙ୍କୁ ଗୁଳିମାଡ କରିଛନ୍ତି । ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ଆହତ ଯ୍ୁବକ ଜଣକ ବାଲିସାହି ଗାଁର ଦେବରାଜ ବିଶ୍ୱାଳ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ଶନିବାର ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ବାଟ ଓଗାଳିଥିଲେ । ପରେ ତାଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଥିଲେ । ଏଥିରେ ଯୁବକଙ୍କ ବାମ ଗୋଡର ଜଙ୍ଘରେ ଗୁଳି ବାଜିଛି । ଫଳରେ ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଛି । ତେବେ ଏହି ଦୁର୍ବୃତ୍ତମାନେ ଉକ୍ତ ଯୁବକଙ୍କ ଉପରେ ରାଗ ରଖିଥିବା ଏକ ଗ୍ୟାଙ୍ଗର କିଛି ସଦସ୍ୟ ବୋଲି ଜଣାଯାଇଛି । ଗୁଳିମାଡ ପରେ ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ ଜଗତସିଂପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଗୁଳିମାଡ କରିଥିବା ଯୁବକମାନେ ଉକ୍ତ ଯୁବକଙ୍କ ଉପରେ ରାଗ ରଖିଥିଲେ । ଏମାନେ କିଛି ଦିନ ତଳେ ବେଲରେ ମୁକୁଳିବା ପରେ ଏଭଳି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।
previous post