ଖଗେଶ୍ୱର ପିଙ୍ଗୁଆ/ ପାଲଲହଡା: କରୋନା ମହାମାରୀ ତଥା କୋଭିଡ ୧୯କୁ ରୋକିବାକୁ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର ତଥା କେନ୍ଦ୍ର ସରକାର । ପଞ୍ଚାୟତରେ ସବୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ମାତ୍ର ସରପଞ୍ଚ ଏହାର ଖୋଲମ ଖୋଲା ଅପବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏପରି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି, ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରୀବେଡା ପଞ୍ଚାୟତରେ । ମୁଣ୍ଡୁରିବେଡା ଗ୍ରାମର ଦୁଇ ଜଣ ଝାଡଖଣ୍ଡ ଫେରନ୍ତା ଦାଦନ ଶ୍ରମିକ- ସୌଭାଗ୍ୟ ଚଦ୍ର ବେହେରା ଓ ପ୍ରଫୁଲ୍ଲ ବେହେରା ଝାଡଖଣ୍ଡ ରାଜ୍ୟର ମଧୁପୁର ଅଂଚଳରେ ରହି ଦାଦନ ଖଟୁଥିଲେ । ଲକଡାଉନ ହେବା ପରେ ଗାଁକୁ ଫେରି ପାରି ନ ଥିଲେ । ସେଠାରେ ବହୁ କଷ୍ଟରେ କାଳ କାଟୁଥିବା ବେଳେ କିନ୍ତୁ ଗତ ୧ ତାରିଖରେ ସାଇକେଲ ଯୋଗେ ଝାଡଖଣ୍ଡରୁ ଆସି ନିଜ ଗାଁରେ ପହଂଚି ଥିଲେ । ସେ ଦିନ ଖମାର ପୋଲିସ ଏବଂ ସ୍ଥାନୀୟ ସରପଞ୍ଚ ଦୁହିଁଙ୍କୁ ମୁଣ୍ଡୁରୀବେଡା ଜନତା ହାଇସ୍କୁଲରେ କ୍ୱାରାଣ୍ଟାଇନରେ ରହିବାକୁ କହିଥିଲେ । କିନ୍ତୁ ସ୍ଥାନୀୟ ସରପଞ୍ଚ ଦୁହିଁଙ୍କୁ କ୍ୱାରେଣ୍ଟାଇନ ହଲରେ ରଖିବା ପରିବର୍ତ୍ତେ ହାଇସ୍କୁଲରେ ଥିବା ସାଇକେଲ ଷ୍ଟାଣ୍ଡର ବାରଣ୍ଡାରେ ରଖିଛନ୍ତି । ଏହି ଘଟଣାର ସତ୍ୟାସତ୍ୟ ପରଖିବା ପାଇଁ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ବେଳେ ସମ୍ପୂର୍ଣ ଭାବେ ସ୍ଥାନୀୟ ସରପଞ୍ଚ ଓ କ୍ୱାରେଣ୍ଟାଇନ ନୋଡାଲ ଅଫିସରଙ୍କ ଦୁର୍ବଳତା ପଦାକୁ ଆସିଛି । ମୁଖ୍ୟତ ହେଲା ଆଜକୁ ପ୍ରାୟ ଲକ ଡାଉନର ୪୫ଦିନ ବିତିଗଲାଣି କିନ୍ତୁ ବର୍ତମାନ ସୁଦ୍ଧା କ୍ୱାରେଣ୍ଟାଇନ ସେଣ୍ଟର କାର୍ୟ୍ୟ ସମ୍ପୂର୍ଣ ହୋଇନି । ତେଣୁ ଅନୋନ୍ୟପାୟ ହୋଇ ଦୁଇ ଶ୍ରମିକଙ୍କୁ ଗୋରୁ ଗାଈ ପରି ସାଇକେଲ ଷ୍ଟାଣ୍ଡରେ ରଖାଯାଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଖରା ଗରମରେ ସେମାନେ କିପରି ସେଠାରେ ରହିବେ ଓ ଯଦି ସେମାନେ ସେଠାରୁ ଫେରାର ହୋଇ ଯାଆନ୍ତି ତେବେ ସ୍ଥିତି କଣ ହେବ ସେ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।
previous post
next post