ଓଡିଶା

ପ୍ରସବ ଅଧାରୁ ପଳାଇଲେ ଡାକ୍ତର

(ମହାଭାରତ, ରଣପୁର): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ପ୍ରସବ ସମୟରେ ଅଧାରୁ ପ୍ରସୂତି ଗୃହ ଛାଡି ଡାକ୍ତର ଚାଲି ଯିବାରୁ ନବଜାତର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗାଁର ପ୍ରମୋଦ ସାହୁଙ୍କ ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଶିଶୁ ପୁତ୍ର ଜନ୍ମ ହେବା ସମୟରେ ପ୍ରସବ ଅଧାରୁ ଡାକ୍ତର ଛାଡି ପଳାଇଥିଲେ । ତେବେ ଅନୋନ୍ୟୋପାୟ ହୋଇ ସେଠାରେ ଉପସ୍ଥିତ ଥିବା ଷ୍ଟାଫ ନର୍ସ ପ୍ରସବ ଗର୍ଭବତୀଙ୍କ ପ୍ରସବ କରାଉଥିବା ବେଳେ ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିବା ପ୍ରମୋଦ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ପୂର୍ବରୁ ପ୍ରମୋଦ ଓ ତାଙ୍କ ପତ୍ନୀଙ୍କୁ ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ଠିକା ଡାକ୍ତର ଏସ ଜିବ୍ରାଇଲ ଖାଁଙ୍କ ପାଖରେ ଚିକିତ୍ସା କରାଉଥିଲେ । ଆସନ୍ତା ମାସ ୪ ତାରିଖରେ ପ୍ରସବ ହେବ ବୋଲି ଡାକ୍ତର ଜଣକ ତାରିଖ ଦେଇଥିଲେ । ତେବେ ଏହାର ମାସେ ପୂର୍ବରୁ ପ୍ରସବ ଯନ୍ତ୍ରଣା ହେବାରୁ ପ୍ରମୋଦ ପତ୍ନୀଙ୍କୁ ଡାକ୍ତରଖାନା ଆଣିଥିଲେ । ମାତ୍ର ଡାକ୍ତର ଜଣକ ପ୍ରସବ ପାଇଁ ଇଞ୍ଜେକ୍ସନ ଦେଇ ଅଧା ପ୍ରସବ ବେଳେ ଛାଡି ପଳାଇଥିଲେ । ପରେ ସେଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ନର୍ସମାନେ ପ୍ରସବ ଠିକ ଭାବେ ନ କରାଇ ପାରିବାରୁ ନବଜାତର ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଯାଇଛି । ପ୍ରମୋଦ ଓ ସ୍ଥାନୀୟ ଲୋକେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Related posts

ବାତ୍ୟାର ପ୍ରଭାବ; ଓଡ଼ିଶାର ୪ ଟି ବନ୍ଦରକୁ ବିପଦ ସଂକେତ ଜାରି

mahabharatanews

ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

mahabharatanews

ନଈ ପାଣିରେ ଭାସି ଗଲେ ବାପ-ପୁଅ

mahabharatanews