(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ଅନ୍ତର୍ଗତ ବଡସାହି-ଡୁକୁରା ରାସ୍ତାର ଆମ୍ବଡାଳି ନିକଟରେ ଶନିବାର ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଯାତ୍ରା ଦରବାରର ମାଲିକଙ୍କ ଭାଇ ଓ ମ୍ୟାନେଜରଙ୍କ ନିକଟରୁ ୭୦ ହଜାରରୁ ଅଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ସାଢେ ୧୧ଟା ବେଳେ ୬ ଜଣ ଦୁର୍ବୃତ୍ତ ଯାତା ଦରବାରର ମାଲିକଙ୍କ ଭାଇ କଟକ ବଡମ୍ବା ଅଞ୍ଚଳର ମନୋଜ ପାଣିଗ୍ରାହୀ ଓ କଲ୍ ମ୍ୟାନେଜର ମିଥୁନ ବାବୁଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିବା ସହ ଟଙ୍କା ଲୁଟ୍ କରିଛନ୍ତି । ମନୋଜ ଓ ମିଥୁନ ଖୁଣ୍ଟା ନିକଟ ଭୋଳାଗଡିଆକୁ ବାଇକ ଯୋଗେ ଯାଉଥିବା ସମୟରେ ଆମ୍ବଡାଳି ନିକଟରେ ୬ ଜଣ ଦୁର୍ବୃତ୍ତ ୨ଟି ବନ୍ଧୁକ ଦେଖାଇ ଅଟକାଇବା ସହିତ ଫାର୍ଶା ବେଣ୍ଟରେ ଆକ୍ରମଣ କରିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ପରେ ମିଥୁନ ଗୁରତର ଆହତ ହେବା ସହିତ ଅଚେତ ହୋଇଯାଇଥିଲେ । କିଛି ସମୟ ପରେ ମନୋଜଙ୍କ ପାଖରେ ରହିଥିବା ଅନ୍ୟ ଛୋଟ ମୋବାଇଲରେ ପାର୍ଟି କର୍ମଚାରୀଙ୍କୁ ଖବର ଦେବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବଡସାହି ଡାକ୍ତରଖାନାକୁ ଆଣିଥିଲେ । ମିଥୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ।
previous post
next post
