(ମହାଭାରତ, ଭଦ୍ରକ): ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ସୋମବାର ବାଲି ମାଫିଆମାନେ ସଂଘବଦ୍ଧ ହୋଇ କାର୍ଯ୍ୟାଳୟରେ ପଶି ସମୁଦାୟ ୫ଜଣଙ୍କୁ ଲୁହା ରଡ ଓ ଇଟାରେ ଆକ୍ରମଣ କରିଥିଲେ । ଏଥିସହ ଆରଆଇ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏଥିରେ ଅତିରିକ୍ତ ତହସିଲଦାର ଶରତ ସ୍ୱାଇଁ, ଆରଆଇ ରାମ ନାରାୟଣ ସାମଲ ଓ ୩ ଅନ୍ୟ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ଅତିରିକ୍ତ ତହସିଲଦାର ସୋମବାର ରାତିରେ ଥାନାରେ ଏତଲା ଦିଆଯାଇଛି । ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ସୂଚନା ମୁତାବକ, ସୋମବାର ଅପରାହ୍ନରେ ଭଣ୍ଡାରିପୋଖରୀ ମଞ୍ଜୁରୀ ରୋଡରେ ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଆରଆଇ ଅଟକାଇଥିଲେ । ପରେ ଗାଡିକୁ ଆରଆଇ କାର୍ଯ୍ୟାଳୟକୁ ନେଇ ଡ୍ରାଇଭରଙ୍କୁ ଚାଲାଣ କାଟିବା ପାଇଁ କହିଥିଲେ । ଏହାକୁ ନେଇ ଟ୍ରାକ୍ଟର ଡ୍ରାଇଭର ଓ ଆରଆଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଖବର ପାଇ ଅତିରିକ୍ତ ତହସିଲଦାର ଆରଆଇ କାର୍ଯ୍ୟାଳୟରେ ପହଞ୍ଚି ଆଲୋଚନା କରିଥିଲେ । ଏହି ସମୟରେ କିଛି ବାଲି ମାଫିଆ ସେଠାରେ ପହଞ୍ଚି ଅତିରିକ୍ତ ତହସିଲଦାର, ଆରଆଇ ଓ ଅଫିସର ଅନ୍ୟ କିଛି କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏହା ବ୍ୟତୀତ ମାଫିଆମାନେ ଅଫିସ ଜିନିଷପତ୍ର ମଧ୍ୟ ଭଙ୍ଗାରୁଜା କରିଥିଲେ । ତେବେ ଏହି ମାଫିଆମାନେ ଦଳ ବଦ୍ଧ ହୋଇ ଲୁହା ରଡ ଓ ଇଟାରେ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ ସ୍ୱାଇଁ ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ ଆରଆଇ ରାମ ନାରାୟଣ ସାମଲ ମଧ୍ୟ ଗୁରୁତର ହୋଇଛନ୍ତି । ଆରଆଇ ଅଫିସର ଅନ୍ୟ ୩ ଜଣ କର୍ମଚାରୀ ଏଥିରେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।