(ମହାଭାରତ, ହିଞ୍ଜିଳି): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ଚୈତ୍ର ଯାତ୍ରା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ହୋଲି ଉତ୍ସବ ପାଳନ ହେଉଥିବା ସତ୍ୱେ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ମନ୍ଦିରକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ପରମ୍ପରା ଅନୁଯାୟୀ, ମଙ୍ଗଳବାର ଭୋର ୩ଟାରୁ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ୬ଟାରେ ଦୁଇ ଭଉଣୀ ତାରା ତାରିଣୀ ଶ୍ରଦ୍ଧାଳୁମାନଙ୍କୁ ମହାକାଳୀ ବେଶରେ ଦର୍ଶନ ଦେଇଥିଲେ । ଚଳିତ ବର୍ଷ ମା’ଙ୍କ ଏହି ଚୈତ୍ର ଯାତ୍ରା ପାଇଁ ବିଭିନ୍ନ ଘରୋଇ ବସ ମାଲିକ ସଂଘ ପକ୍ଷରୁ ମାଗଣା ଅନ୍ନ ଭୋଜନ ଭକ୍ତଙ୍କୁ ଯୋଗାଇ ଦିଆଯାଇଛି । ପ୍ରସାଦ ବାବଦରେ ଚଳିତ ଥର ୪୯ ହଜାର ୭୮୦ ଟଙ୍କା, ମୁଣ୍ଡନ ବାବଦରେ ୫୬ ହଜାର ୬୦୦ ଟଙ୍କା, ବସ୍ ସେବା ବାବଦରେ ଏକ ଲକ୍ଷ ୮ ହଜାର ୮୧୫ ଟଙ୍କା ଓ ସ୍ୱତନ୍ତ୍ର ଦର୍ଶନ ବାବଦରେ ୧୯ ହଜାର ୧୦୦ ଟଙ୍କାର ରାଜସ୍ୱ ପୀଠରୁ ଆଦାୟ ହୋଇଥିବା ଜଣାଯାଇଛି । ଏହି ଚୈ÷ତ୍ର ଯାତ୍ରାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ, ତହସିଲଦାର ଅରୁଣ ନାୟକ, ବିଡିଓ ସିମାଞ୍ଚଳ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ପୀଠରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।
previous post
next post
