(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର ଗାଁରେ ଅଘଟଣ ଘଟିଛି । ଏଠାରେ ମେଳଣ ବେଳେ ବାଣ ଫୁଟି ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହରିରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ହରିରାଜପୁର ଗାଁରେ ପଞ୍ଚୁଦୋଳ ମେଳଣ ଉଦଘାଟିତ ହୋଇଛି । ପରମ୍ପରା ଅନୁଯାୟୀ ମେଳଣ ଜମାଣରେ ବାଣ ଫୁଟାଯାଇଥାଏ । ରବିବାର ଦିନ ଏଠାରେ ମେଳଣ ଜମାଣ ହୋଇଥିଲା । ଏହି ଅବସରରେ ଆତସବାଜି ପ୍ରଦର୍ଶିତ ହୋଇଥିଲା । ହାବେଳୀ, ଚେଙ୍ଗ, ଆକାଶ ଦୀପ ଝୂଲ ଆଦି ପଡି ଏଠାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଛି । ଏଥିରେ ବସନ୍ତପୁର ଗାଁର ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୂବନେଶ୍ୱର ପଠାଯାଇଥିବା ଜଣାଯାଇଛି । ତେବେ ବାଣ ଫୁଟା ଚାଲିଥିବା ବେଳେ ଏକ ବିଶାଳ ଶିବ ମୂର୍ତ୍ତିରେ ନିଆଁ ଝୁଲ ପଡି ପୋଡି ଯାଇଥିବା ଜଣାପଡିଛି । ଚଳିତବର୍ଷ କରୋନା ଭୟରେ ମେଳଣ ପଡିଆରେ ଲୋକସଂଖ୍ୟା କମିଥିବା ଦେଖାଯାଇଥିଲା ।
previous post
next post
